ସରିଲା ‘ବିରାଟ’ ଯୁଗ ! ସମୁଦ୍ର ଭିତରେ ୩୦ ବର୍ଷର ସେବା ପରେ ଅବସର ନେଲା ଯୁଦ୍ଧଜାହାଜ

43

କନକ ବ୍ୟୁରୋ : ସମୁଦ୍ର ଭିତରେ ୩୦ ବର୍ଷ ରାଜ କରିବା ପରେ ଅବସର ନେଲା ଯୁଦ୍ଧ ଜାହାଜ ‘ବିରାଟ’ । ଏହି ବିଶାଳ ଯୁଦ୍ଧ ଜାହାଜ ୧୯୮୭ ମସିହାରୁ ବ୍ରିଟିଶ ନୌସେନାରୁ ଅବ୍ୟାହତି ନେଇ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ସବୁଠାରୁ ବେଶୀ ସମୟ ସେବା ଯୋଗାଇଥିବା ଏବଂ ବେଶୀ ସମୟ ସମୁଦ୍ରରେ ରହିଥିବା ରେକର୍ଡ ରହିଛି ଏହାରି ନାଁରେ । ଆଇଏନଏସ ବିରାଟର ଅବସର ସହ ଗୋଟିଏ ଯୁଗର ଶେଷ ହୋଇଛି ।

ନାଁ ସାଙ୍ଗକୁ ଆକାର ଯେମିତି, କାମ ବି ସେମିତି । ଭାରତୀୟ ନୌସେନାର ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିରାଟ ନିଜ ଦାୟିତ୍ୱରୁ ଅବସର ନେଇଛି । ଭାରତ ଉପକୂଳର ଏହି ରକ୍ଷକ ଦୀର୍ଘ ୧୯୮୭ରୁ ସମୁଦ୍ରରେ ରାଜ କରିଥିଲା । ମାତ୍ର ୫ ବର୍ଷ ପାଇଁ କାମ କରିବା ଯୋଜନାରେ ବ୍ରିଟିଶଠାରୁ କିଣିିଥିବା ଭାରତୀୟ ନୌସେନା ଏହାକୁ ଏତେ ଦିନ ଧରି କାମରେ ନିୟୋଜିତ କରିଥିଲା ।

ଆର-୨୨ ନାଁରେ ନୌସେନାରେ ଜଣାଶୁଣା ଏହି ଯୁଦ୍ଧଜାହାଜରେ ୪୩ ଜଣ ଅଧିକାରୀ ଓ ୧୩୫୦ ନୌ ସୈନିକ ଏକ ସମୟରେ କାମ କରୁଥିଲେ । ଏହାସହ ଆଇଏନଏସ ବିରାଟରେ ୪ଟି ସ୍କ୍ୱାର୍ଡନ ବିମାନ କାର୍ଯ୍ୟକ୍ଷମ ଥିଲେ ।

ଭାରତୀୟ ନୌସେନାରେ ସାମିଲ ହେବା ପୂର୍ବରୁ ଏହା ବ୍ରିଟିଶ ରୟାଲ ନୌସେନାର ଯୁଦ୍ଧପୋତ ଥିଲା । ଏହାର ନିର୍ମାଣ ୧୯୪୪ ମସିହାରେ ହୋଇଥିବା ବେଳେ ଏହା ବ୍ରିଟିଶ ନୌସେନାରେ ୧୯୫୯ରୁ କାର୍ଯ୍ୟରତ ଥିଲା । ସେଠାରେ ଏହାର ନାଁ ଥିଲା ଏଚଏମଏସ ହର୍ମିସ । ଏହା ବ୍ରିଟିଶ ନୌସେନାରେ ୨୭ ବର୍ଷ କାମ କରିବା ପରେ ଭାରତୀୟ ସେନାରେ ସାମିଲ ହୋଇଥିଲା ।

ବିଶ୍ୱ ନୌସେନାରେ ଗ୍ରାଣ୍ଡ ଓଲ୍ଡ ଲେଡି ଜଣାଶୁଣା ଆଇଏନଏସ ବିରାଟ । ସବୁଠାରୁ ବେଶୀ ସମୟ ସେବା ଯୋଗାଇଥିବା ଏବେ ସମୁଦ୍ରରେ ରହିଥିବା ରେକର୍ଡ ରହିଛି ଏହାରି ନାଁରେ । ଏହି ବିଶାଳକାୟ ଯୁଦ୍ଧପୋତ ସମୁଦ୍ରରେ ସମୁଦାୟ ୬ ବର୍ଷ ରହିବା ସହ ପୃଥିବୀକୁ ୨୭ ଘେରା ବୁଲିବାର ଦୂରତା ଅତିକ୍ରମ କରିଛି । ଆଇଏନଏସ ବିରାଟ ୧୯୮୨ରେ ଶ୍ରୀଲଙ୍କାକୁ ଶାନ୍ତିସେନା ପ୍ରେରଣ ଅଭିଯାନ- ଅପରେସନ ଜୁପିଟର ଓ ୧୯୯୯ରେ କାର୍ଗିଲଯୁଦ୍ଧ – ଅପରେସନ ବିଜୟ ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛି ।

୨୦୧୬ ଜୁଲାଇରେ ଶେଷଥର ପାଇଁ ନିଜ ଇଂଜିନରେ ମୁମ୍ବାଇରୁ କୋଚିଯାଏଁ ଯାତ୍ରା କରିଥିଲା ଆଇଏନଏସ ବିରାଟ । କିନ୍ତୁ ଅକ୍ଟୋବର ୨୦୧୬ରେ ୩ଟି ଜାହାଜ ସହାୟତାରେ ମୁମ୍ବାଇ ଫେରିଥିଲା ।

ଆଇଏନଏସ ବିରାଟ ଅବସରର ନେବା ପରେ ଏହାକୁ ମ୍ୟୁଜିଅମ କରିବା ପାଇଁ ଆନ୍ଧ୍ର ସରକାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏଥିପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଅଟକଳ ହୋଇଥିଲା । ତେଣୁ ଏହି ପ୍ରସ୍ତାବରୁ ଓହରିଯାଇଥିଲା ଆନ୍ଧ୍ର । ଅବଶ୍ୟ ଏହାକୁ ଷ୍ଟାର ହୋଟେଲ କରିବାକୁ ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଆଇଏନଏସ ବିରାଟର ଅବସର ପରେ ଏବେ ଭାରତ ନୌସେନାରେ କେବଳ ଆଇଏନଏସ ବିକ୍ରମାଦିତ୍ୟ ହିଁ ଏକମାତ୍ର ଯୁଦ୍ଧପୋତ ରହିଛି ।