ପର କଲା ପୁଅ: ଜୀବନ ବିତୁଛି ପାଇଖାନାରେ । ବୁଢୀ ମାଆକୁ ଘରୁ ତଡି ଦେଲା, ଅଳିଆ ପାଇଖାନାରେ ରହିବାକୁ କହିଲା…

663

କନକ ବ୍ୟୁରୋ: ପାଇଖାନା ଘରେ ବିତୁଛି ଜୀବନର ଶେଷ ସମୟ । ୩ ବାଇ ୪ ଫୁଟର ସ୍ୱଚ୍ଛ ଭାରତ ଶୌଚାଳୟ ଘରେ ଶେଷ ଜୀବନ ସହ ସଂଘର୍ଷ କରୁଛନ୍ତି ୮୨ ବର୍ଷିୟା ବୃଦ୍ଧା । ଅଣ୍ଟା ସଳଖି ହେଉ ନଥିବା ଏ ପାଇଖାନା ଘରେ ଜୀବନ ସହ ଯୁଝି ଯୁଝି ମୃତ୍ୟୁକୁ ଅପେକ୍ଷା କରିଛନ୍ତି ପୁଅ ପାଇଁ ପର ପାଲଟିଥିବା ଏ ଅସହାୟ ମାଆ ।
ଜୀବନର ଶେଷ ସମୟରେ, ବୟସର ଅପରାହ୍ଣରେ ଆରାମରେ ବାକି ଜୀବନକୁ କାଟି ଦେବାକୁ ଭାବିଥିଲେ ଏ ବୃଦ୍ଧା । ବୋଧହୁଏ ସେଇଥିପାଇଁ ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ପୁଅ ଜନ୍ମ କରିଥିଲେ । ହେଲେ ଦେହରୁ ଜୁ ଚାଲିଯିବା ପରେ, ଆଉ ବଳ ବୟସ ହଟିଯିବା ପରେ ପୁଅ ପାଇଁ ବୋଝ ପାଲଟିଲେ ବୃଦ୍ଧା ମାଆ । ଅବସ୍ଥା ଏମିତି ହେଲା ଜୀବନ ଦେଇଥିବା ମାଆ, ପୁଅ ଠାରୁ ଯନ୍ତ୍ରଣା ପାଇଲା । ଆଉ ଘରେ ଟିକେ ଜାଗା ନପାଇ ପାଇଖାନା ଘରେ ଜୀବନ କାଟିଲା ।

ତେବେ ଏଭଳି ଅଭାବନୀୟ ଖବର ଆସିଛି ପୁରୀ ଜିଲ୍ଲାରୁ । ଗୋପ ବ୍ଲକ ବୀରୁତୁଙ୍ଗ ପଞ୍ଚାୟତ ସାଉରିଆ ଗାଁର ୮୨ ବର୍ଷିୟା ବୃଦ୍ଧା ଧନୀ ମଲ୍ଲିକ । ନାଁଟା ସିନା ଧନୀ ହେଲେ ଏବେ ସେ ପୂରା ନିର୍ଦ୍ଧନ । ଦେହରେ ବଳ ଥିବା ବେଳେ କାମଧନ୍ଦା କରି ନିଜେ ଚଳୁଥିଲେ ଆଉ ୪ ଛୁଆଙ୍କୁ ବଡ କରିଥିଲେ । ହେଲେ ଏବେ ସମୟଟା ବଦଳି ଯାଇଛି । ନା ଦେହରେ ବଳ ଅଛି, ନା ପାଖରେ ଫୁଟି କଉଡିଟେ । ଶେଷ ଜୀବନରେ ପୁଅ ବୋହୂଙ୍କ ସେବା ବଦଳରେ ମୁଠାଏ ଭାତ ଖାଇ ବଞ୍ଚିବାକୁ ପଡୁଛି । ଖାଲି ସେତିକ ନୁହେଁ ପାଇଖାନା ଘରେ ମଧ୍ୟ ରହିବାକୁ ପଡୁଛି ।

ବୟସାଧିକ କାରଣରୁ ଝାଡ ଝପଟ କରି ଦେଉଥିବାରୁ ପୁଅବୋହୂ ଘରୁ ବାହାର କରି ଦେଇଛନ୍ତି । ପୁଅ ପକ୍କା ଘରେ ରହୁଥିବା ବେଳେ ବୁଢି ମାଆକୁ ଘର ପଛପଟ ପାଇଖାନାରେ ରହିବାକୁ ପୁଅ ନିର୍ଦ୍ଦେଶ ଦେଇଛି । ବଡ କଷ୍ଟରେ ଜୀବନ କାଟୁଥିବା ମାଆ ଭାଗ୍ୟକୁ ଆଦରି ପାଇଖାନା ଘରେ ପଡି ରହିଥିବାରୁ ପୁଅବୋହୂଙ୍କ ଉପରେ ଅଭିମାନ କରି ବଢି ମାଆ କହିଛି , ମୋ ୪ଟି ପୁଅ ମତେ କନାଟିଏ ବି ଦେଇନାହାନ୍ତି । କାନ୍ଦି କାନ୍ଦି ନିଜ ଜନ୍ମକଲା ପୁଅ ଦେଉଥିବା ଯନ୍ତ୍ରଣାକୁ ମାଆ କହିଲା ବେଳେ ନିଜ କୋହ ସମ୍ବରଣ କରିପାରୁ ନଥିଲା । ବୟସ ଚାଲିଗଲେ ସମସ୍ତେ ପର କରି ଦିଅନ୍ତି କହି କାନ୍ଦିଥିଲା ମାଆ ।

ସେପଟେ ନିଜ ମାଆର ଏଭଳି ଅବସ୍ଥାକୁ ପୁଅ ଖଣ୍ଡନ କରିଛନ୍ତି । ମାଆ ଘରେ ରହିବାକୁ ଭଲ ପାଉନି ତେଣୁ ତାକୁ ପାଇଖାନା ଘରେ ରଖିଛି ବୋଲି ଧନୀଙ୍କ ବଡ ପୁଅ ଦିଗମ୍ବର ମଲ୍ଲିକ କହିଛନ୍ତି । ତେବେ ଦିଗମ୍ବର ଡାହା ମିଛ କହୁଥିବା ତାଙ୍କ ବୟାନରୁ ବାରି ହୋଇ ପଡୁଛି । କେଉଁ ମଣିଷ କଣ ଘରେ ନରହି ବାହାରେ ରହିବାକୁ ଭଲପାଏ, ପାଇଖାନାରେ ଶୋଇବାକୁ ଭଲପାଏ । ହୃଦୟ ନଥିବା ଏ ପୁଅର ମିଛ ବୟାନ. ଦୁନିଆର ବାପାମାଆଙ୍କୁ ହତାଦର କରୁଥିବା ସବୁ ପୁଅଙ୍କ ଉପରେ ଆଙ୍ଗୁଳି ଉଠାଇଛି ।
ସେପଟେ ବୃଦ୍ଧ ବାପାମାଆଙ୍କୁ ହଇରାଣ ହରକତ, ନିର୍ଯାତନା ନଦେବାକୁ ଆଇନ କଡାକଡି ହୋଇଥିଲେ ବି ସମାଜରେ ଏମିତି ଘଟଣା ବଢିବଢି ଚାଲିଛି । ତେବେ ଜିଲ୍ଲା ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେଉ ଆଉ ଏଭଳି ପୁଅଙ୍କୁ ପାନେ ଚଖାଉ ବୋଲି ସାଧାରଣରେ ଦାବି କରା ଯାଇଛି ।