କନକ ବ୍ୟୁରୋ : ମୋ ଗାଈ ମୋତେ ଫେରାଇ ଦିଅ । ଏହା ହେଉଛି ଜଣେ ନିରାଶ୍ରୟ ମହିଳାଙ୍କ ସୋନପୁର ଜିଲ୍ଲାପାଳଙ୍କୁ ନିବେଦନ । ଖୋଦ ଜିଲ୍ଲାପାଳଙ୍କ କାର ସମ୍ମୁଖରେ ଚଟାଣରେ ହାତଯୋଡି ଏଭଳି ନିବେଦନ କରିଥିଲେ ବୃଦ୍ଧା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାପାଳଙ୍କ ଅଫିସ ପରିସରରେ । ଜିଲ୍ଲାପାଳ ବି ସହୃଦୟର ସହ ବୃଦ୍ଧାଙ୍କ ଆକୁଳ ନିବେଦନ ଶୁଣିଛନ୍ତି ।

Advertisment

ଖବର ଅନୁସାରେ, ଗତ ୩୧ ତାରିଖରେ ସୋନପୁର ଅଂଚଳର ତରାସ ବାଘ ଜିଲ୍ଲାପାଳ ଅଫିସ ବାରଣ୍ଡାରେ ପଂହଚିଥିଲେ । ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ପୁଲିସକୁ କହିଥିଲେ । ପୁଲିସ ତରାସଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସେ ଶୁଣିନଥିଲେ । ଏହି ସମୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱେଣଙ୍କ କାର ପଂହଚିଥିଲା । ତରାସ କାର ଆଗରେ ଲମ୍ବା ହୋଇ ପଡିଯାଇଥିଲେ । ବ୍ୟତିବ୍ୟସ୍ତ ହୋଇ ଜିଲ୍ଲାପାଳ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କୁ ଉଠାଇଥିଲେ । ଆଉ ତାଙ୍କ ଅଭିଯୋଗ ଶୁଣିଥିଲେ ।

ତରାସଙ୍କ କହିବା କଥା ହେଲା, ତାଙ୍କର ୪ଟି ଗାଈ ଥିଲେ । କିନ୍ତୁ କିଛି ଦିନ ହେଲା ସେଗୁଡିକୁ କିଏ ନେଇଯାଇଛି । ଲୋକେ କହୁଛନ୍ତି, ଗାଈଗୁଡିକୁ କାଂଜିଆହୁଦାରେ ରଖାଯାଇଛି । ତେଣୁ ସେ ଗାଈକୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ବି ବୃଦ୍ଧାଙ୍କ କଥା ଶୁଣିଥିଲେ । ବୃଦ୍ଧାଙ୍କୁ କାଂଜିଆହୁଦା ନିଆଯାଇଥିଲା । ୪ଟି ଗାଈରୁ ୨ଟି ଗାଇକୁ ତରାସ ଚିହ୍ନଟ କରିଥିଲେ । ଏହାପରେ ଦୁଇଟି ଗାଈକୁ ତାଙ୍କୁ ଫେରାଇଦିଆଯାଇଛି ।

ବୃଦ୍ଧା ତରାସ ବାଘର ଘର ବିନିକା ଅଂଚଳରେ । ସେ ଦଶବର୍ଷ ହେଲା ସୋନପୁର ମେଡିକାଲ ବାରଣ୍ଡାରେ ରହିଆସୁଛନ୍ତି । ପରିବାର କହିଲେ ସାଙ୍ଗରେ ଥିଲେ ୪ଟି ବୃଦ୍ଧା ଗାଈ । ତରାସ ଭିକ ମାଗି ଚଳନ୍ତି । ଆଉ ଫେରିବା ପରେ ଗାଈଗୁଡିକ ସହ ବସି ଖାଇଥାନ୍ତି । ଏଭଳି ଥିଲା ତାଙ୍କ ଗାଈଙ୍କ ସହ ନିବିଡ ସମ୍ପର୍କ ।