ସେବା ପାଖରେ ହାର୍‌ ମାନିଲା କରୋନା : ପତ୍ନୀ ପଜିଟିଭ୍‌ ହୋଇ ବି ପାଖ ଛାଡ଼ିଲେନି ବୃଦ୍ଧ, ନିଃସ୍ୱାର୍ଥପର ସେବା ଓ ତ୍ୟାଗ ପାଖେ ମଥା ନୁଆଁଇଲା ମହାମାରୀ

465

କନକ ବ୍ୟୁରୋ : କର୍କଟ ରୋଗରେ ପୀଡ଼ିତ। ଯେତେବେଳେ ହସ୍ପିଟାଲ ଶଯ୍ୟାରେ ଥିଲେ କଟକସ୍ଥିତ କର୍କଟ କେନ୍ଦ୍ରରେ କରୋନା ମାଡ଼ିଯାଇଥିଲା । ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବାରୁ ସେ ଘରକୁ ଫେରି ଆସିଥିଲେ । କିନ୍ତୁ ପଜିଟିଭ୍‌ ବାହାରିଲା । ମାତ୍ର, ଏହାକୁ ଖାତିର୍‌ ନକରି ପତ୍ନୀଙ୍କ ସେବା କରି ଚାଲିଲେ ଜଣେ ବୃଦ୍ଧ। ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧଙ୍କୁ କରୋନା ସ୍ପର୍ଶ କରିପାରିନି । ମହିଳା ମଧ୍ୟ ସୁସ୍ଥ ହୋଇଛନ୍ତି । ଜୀବନସାରା ଅଭାବ, ଅନଟନ ଲାଗି ରହିଥିଲେ ମଧ୍ୟ ଦାମ୍ପତ୍ୟ ଜୀବନ ଆଗରେ କରୋନା ଯେମିତି ହାର୍‌ ମାନିଛି ।

ଏହି ଦମ୍ପତି ହେ‌ଲେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ମୌଜା ଗୋପାଳ ସାହିର ଗୋଲି ଓ କୈଳାସ ପ୍ରଧାନ । ବୃଦ୍ଧା ଗୋଲି କର୍କଟ ରୋଗାକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ ଗ‌ବେଷଣା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠି କରୋନା ମାଡ଼ିଯିବା ଓ ମେଡିକାଲ ପରିସରକୁ ଆବଦ୍ଧାଞ୍ଚଳ ଘୋଷଣା ପରେ ସେ ବାଧ୍ୟରେ ଗାଁକୁ ଫେରି ଆସିଥିଲେ । ଗୋଲିଙ୍କୁ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ପରିସ୍ଥିତି ଏମିତି ଥିଲା ‌ଯେ, ଗୋଲି ଏକାକୀ ପାଦେ ଆଗକୁ ବଢ଼ିବା ମୁସ୍କିଲ୍ । ସେ ଶେଯରୁ ଉଠିବାଠୁ ଶୋଇବା ପର୍ଯ୍ୟନ୍ତ ସବୁବେଳେ ସ୍ବାମୀଙ୍କ ସାହାରା ଲୋଡ଼ୁଥିଲେ । ଗାଁରେ ରହି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ତେବେ କଟକ ଯିବାଠୁ ଗାଁରେ ରହିବା ପର୍ଯ୍ୟନ୍ତ ପତ୍ନୀଙ୍କ ପାଖେ ପାଖେ ରହି ତାଙ୍କୁ ଚଲାଇବା, ବୁଲାଇବା, ସ୍ନାନଶୌଚ କରାଇଦେବା, ଆଳାପ କରି ମନ ଭୁଲାଇବା ଓ ଖୁଆଇ ଦେବା ଭଳି କାମ ସବୁ କରି ଆସୁଥିବା ବୃଦ୍ଧ କୈଳାସଙ୍କୁ କିନ୍ତୁ କରୋନା ଛୁଇଁ ପାରିନଥିଲା। ସତେ ଯେମିତି ତାଙ୍କ ନିଃସ୍ବାର୍ଥପର ସେବା ଓ ତ୍ୟାଗ ପାଖେ ମହାମାରୀ ମଥା ନଇଁଥିଲା ।

କରୋନା ମୁକ୍ତ ହୋଇ କୋଭିଡ୍‌ ହସପିଟାଲ୍‌ରୁ ଫେରିବା ପରେ ବି ଗୋଲି ସ୍ବାମୀଙ୍କ ଆଶ୍ରା ବିନା ମୁହୂର୍ତ୍ତେ ଚଳିବା ଅସମ୍ଭବ । ଏବେ ବି କୈଳାସ ପତ୍ନୀଙ୍କ ସେବା କରି ଆସୁଛନ୍ତି । ସ୍ନେହ ମମତାରେ ବାନ୍ଧି ହୋଇଥିବା ଏହି ବୃଦ୍ଧ ଦମ୍ପତିଙ୍କ ପ୍ରତି ସମାଜରେ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି ବୋଲି ସରପଞ୍ଚ ଅଲେଖ ପ୍ରସାଦ ରାଉତ କହନ୍ତି ।