କନକ ବ୍ୟୁରୋ : ସାରା ଦେଶରେ ପୁରୁଣା ପେନସନ ଯୋଜନାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି । ଦେଶର ଅନେକ ରାଜ୍ୟ ଏବେ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରିସାରିଛନ୍ତି । ଏହାସହ କିଛି ରାଜ୍ୟ ଏବେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହେଉଛନ୍ତି । ଏସବୁ ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରିଜର୍ଭବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି କି, ଯେଉଁ ରାଜ୍ୟମାନେ ପୁରୁଣା ପେନସନ ଲାଗୁ କରିଛନ୍ତି ସେମାନଙ୍କୁ ଆଗାମୀ ଦିନରେ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିପାରେ ।

Advertisment

ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତିବର୍ଷ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତି ନେଇ ରିପୋର୍ଟ ଜାରି କରିଥାଏ । ଏହି ରିପୋର୍ଟରେ କୁହାଯାଇଛି କି କରୋନା ମହାମାରୀ ପରେ ଏବେ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତି ବଦଳିବାରେ ଲାଗିଛି । ଏହି କାରଣରୁ ଆଗାମୀ ଦିନ ଅଧିକ ଚିନ୍ତାଜନକ ହେବାକୁ ଯାଉଛି । ଏହି କାରଣରୁ ଆରବିଆଇ ସୂଚେଇ ଦେଇଛି କି ଯେଉଁ ରାଜ୍ୟମାନେ ପୁରୁଣା ପେନସନ ଯୋଜନା ଲାଗୁ କରିଛନ୍ତି ସେମାନେ ଆଗାମୀ ଦିନରେ ଆର୍ଥିକ ସଂକଟର ସାମ୍ନା କରିପାରନ୍ତି ।

ଆରବିଆଇର ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ କି ଚତୁର୍ଥ ରାଜ୍ୟଭାବେ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ପୁରୁଣା ପେନସନ ଯୋଜନା ଲାଗୁ କରିଛନ୍ତି । ଏହା ପୂର୍ବରୁ ଛତିଶଗଡ ସରକାର, ରାଜସ୍ଥାନ ସରକାର ଓ ପଞ୍ଜାବ ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରିଥିଲେ ।