ଦଶ ବର୍ଷ ହେଲା ଦାଦନ ଦେଉଛି ଦୁଃଖ: ହାଇଦ୍ରାବାଦ ଯାଇ ହଜିଯାଇଛି ପୁଅ, ଆସିବା ବାଟକୁ ଅପେକ୍ଷା କରି କରି ବୁଢା ବାପାମାଆଙ୍କ ଆଖି ପାଣି ଆଖିରେ ମଲାଣି…

359

କନକ ବ୍ୟୁରୋ: ଅପେକ୍ଷାର ଅର୍ଥ କଣ ? ଅପେକ୍ଷା କେତେ ଯନ୍ତ୍ରଣା ଦାୟକ ? ଆଉ ଅପେକ୍ଷା କେତେ ଦିନ ଯାଏଁ କରିହୁଏ? ଅପେକ୍ଷାକୁ ନେଇ ଏମିତି ପୁଳାପୁଳା ପ୍ରଶ୍ନର ଉତ୍ତର ହୁଏତ ଏ ବୁଢା ବାପାମାଆଙ୍କ ଛଡା ଆଉ କେହି ଦେଇ ପାରିବେନି । କାରଣ ରାତି ପାହିବାଠୁ ସଞ୍ଜ ନଇଁବା ଯାଏଁ ଏମାନେ ଖାଲି ଅପେକ୍ଷା ଆଉ ଅପେକ୍ଷା କରିଥାନ୍ତି । ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୧୦ ବର୍ଷ ହେବ ପୁଅର ଆସିବା ବାଟକୁ ଚାହିଁ ଚାହିଁ ବୁଢା ବାପାମାଙ୍କର ଆଖି ପାଣି ଆଖିରେ ମଲାଣି…

ଦଶ ବର୍ଷ ତଳେ ପରିବାରର ଆର୍ଥିକ ସ୍ଥିତି ସୁଧାରିବାକୁ ଦାଦନ ଖଟିବାକୁ ଦୂରକୁ ଯାଇଥିଲା ବିନୋଦ । ଦାଦନ ଖଟିବ ଆଉ ଦି ପଇସା ରୋଜଗାର କରି ବାପା ମାଆଙ୍କ ଦୁଃଖ ଦୂର କରିବ । ଏଇ ସ୍ୱପ୍ନ ନେଇ ହାଇଦ୍ରାବାଦ ଯାଇଥିଲା କେନ୍ଦ୍ରାପଡା ରାଜନଗରର ଧରଣୀଧର ଦାସଙ୍କ ପୁଅ ବିନୋଦ ଦାସ । ୧୮ ବର୍ଷ ହେବା କ୍ଷଣି ବିନୋଦକୁ ଦାଦନ ପାଇଁ ନେଇଯାଇଥିଲା ଗାଁ ପାଖ ଠିକାଦାର । ହେଲେ ସେହି ଦିନ ଠାରୁ ବିନୋଦର କିଛି ଖୋଜ ଖବର ନାହିଁ । ବାପାମାଆଙ୍କୁ ଛାଡି ପୁଅ ଯାଇଛି ଯେ ଯାଇଛି, ଜମ୍ମା ଫେରିନି ।

ସେପଟେ ପୁଅକୁ ଝୁରିଝୁରି ପାଗେଳୀ ହୋଇଗଲାଣି ମାଆ । କଣ ଖାଉଛି, କଣ ପିନ୍ଧୁଛି କିଛି ଜାଣି ପାରୁନି । ଯାହାକୁ ଦେଖୁଛି ଖାଲି ବିନୋଦ… ବିନୋଦ ହୋଇ ବାଉଳି ହେଉଛି । ଆଉ ବୁଢା ବାପା କଥା ନକହିବା ଭଲ । ବାପାମାନେ କାଳେ କାନ୍ଦନ୍ତିନି । କାରଣ ସେମାନେ କାନ୍ଦିଲେ ସଂସାର ଦୋହଲିଯିବ । ବୋଧେ ସେଇଥିପାଇଁ ଧରଣୀଧର ଆଖିର ଲୁହକୁ ଛାତିରେ ଚାପୁଛନ୍ତି । ଗୋଟିଏ ପଟେ ପୁଅର ଦୁଃଖ ଆଉ ଗୋଟିଏ ପଟେ ଅଭାବ, ଅନଟନର କିଟିମିଟ ଅନ୍ଧାର, ଅପେକ୍ଷାରତ ଦୁଇ ମଣିଷଙ୍କୁ ଅହରହ ଦୁଃଖ ଦେଉଛି ।

ତେବେ ପୁଅକୁ ଖୋଜିଦେବାକୁ ତାର ଖବର ଟିକେ ପାଇବାକୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଧରଣୀଧର । ଆଶା ଥିଲା ପୁଅକୁ ଖୋଜିଆଣିବ ପୋଲିସ । ହେଲେ ବୁଢାବାପାର ସେହି ଆଶା ପୋଲିସ ଫାଇଲର ନାଲି ଫିତା ତଳେ ଚାପି ହୋଇ ରହିଗଲା । ନା ଠିକାଦାରକୁ ପଚରା ଉଚରା କରାଗଲା ନା ପୁଅକୁ ଖୋଜାହେଲା । ପୋଲିସ ଠାରୁ ନିରାଶ ହେବା ପରେ ନିଜ ଭଙ୍ଗା ଗୋଡରେ ଛୋଟେଇ ଛୋଟେଇ ଏ ଅଫିସରୁ ସେ ଅଫିସ ଧାଉଁଛନ୍ତି ।

ତେବେ ଧରଣୀଧରଙ୍କ ଏ ଦୁଃଖ ଶୁଣିବା ପରେ ଜିଲ୍ଲାପାଳ ଏସପିଙ୍କୁ ତୁରନ୍ତ ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତାସହ ତାଙ୍କୁ ସବୁ ସରକାରୀ ସୁବିଧା ଯୋଗାଇ ଦେବେ ବୋଲି ମଧ୍ୟ କହିଛନ୍ତି । ବୟସର ଅପରାହ୍ଣରେ ବାପାମାଆ ପୁଅକୁ ହରାଇ ଜିଇଁବା କେତେ ଯେ ଯନ୍ତ୍ରଣା ଦାୟକ ତାହା ପୋଲିସ ହୃଦୟଙ୍ଗମ କରି ବୁଢା ବାପାମାଙ୍କ କଥା ଶୁଣୁ ବୋଲି ଗାଁ ଲୋକେ ଦାବି କରିଛନ୍ତି ।