କନକ ବ୍ୟୁରୋ: ତତଲା ତେଲରେ ଛଣା ହୁଏ ପେଟ ପାଇଁ ପକୁଡି । ଗଛମୂଳେ ଗୁଜୁରାଣ ମେଣ୍ଟାଇବାକୁ ନିଆଁ ସହ ଚାଲେ ନିର୍ଧୁମ କସରତ । ଚୁଲିରେ ନିଆଁ ନଲାଗିଲେ ଲିଭିବନି ପରିବାର ପେଟରେ ଜଳୁଥିବା ନିଆଁ । ତତଲା କଢାରେ ପକୁଡି ନପଡିଲେ ପୋଷି ହେବନି ପରିବାର ପେଟ । ଲୋକଙ୍କ ପାଟିକୁ ସିନା ସୁଆଦିଆ ଲାଗେ ଗରମାଗରମ ପକୁଡି ହେଲେ ଏଇଥିରୁ ଚଳେ ଫେଲୁ ମଉସାର ପରିବାର ।
ଫେଲୁ ମଉସା ! ଭୁବନେଶ୍ୱରର ଏକ ଚିହ୍ନା ନାଁ । କଟକର ରଘୁ ଦହିବରା ପରି ଭୁବନେଶ୍ୱରରେ ଫେଲୁ ମଉସାଙ୍କ ପକୁଡିର ରହିଛି ବେସ୍ ପ୍ରସିଦ୍ଧି । ରାଜଧାନୀବାସୀ କିଛି ଜାଣନ୍ତୁ କି ନଜାଣନ୍ତୁ କିନ୍ତୁ ଫେଲୁ ମଉସା ପକୁଡି ସହ ଭାରି ପରିଚିତ । ବିଭିନ୍ନ ପରିବା ସହ ଶାଗରେ ମିଶାଇ ପକୁଡି ଛାଣୁଥିବାରୁ ତାଙ୍କ ହାତ ତିଆରି ପକୁଡି ଖାଇବାକୁ ଓଲଡ୍ ଟାଉନ୍ ଗୌରୀନଗରର ଏହି ଗଛମୂଳେ ଲାଗେ ଲୋକଙ୍କ ଲମ୍ବା ଲାଇନ । ଆଉ ବେଳ ବୁଡିବା ପରେ ପାଟିର ଭୋକକୁ ମାରିବାକୁ ହାଜର ହୋଇଯାଆନ୍ତି ଶହ ଶହ ଲୋକ ।
କରୋନା ପୂର୍ବରୁ ଫେଲୁ ମଉସା ଭଲ ଦୁଇ ପଇସା ରୋଜଗାର କରୁଥିଲେ । ସ୍ୱଦିଷ୍ଟ ପକୁଡି, ମେଳାପୀ ପ୍ରକୃତି ପାଇଁ ଲୋକେ ଆପେ ଆପେ ତାଙ୍କ ପାଖକୁ ଆସନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯଦି ତାଙ୍କ ଦୋକାନକୁ ଯିବେ ତାହାଲେ ସେ ପ୍ରଥମେ ପକୁଡି ଚାଖିବାକୁ ହାତରେ ଦେବେ ଆଉ କହିବେ ଯଦି ଭଲ ଲାଗିବ ନେବ... ଭୁବନେଶ୍ୱର ଭଳି ସହରରେ ନିର୍ଭେଜାଲ ତେଲରେ ପ୍ରେମର ପକୁଡି ଛାଣିଦେଉଥିବା ଲୋକ ଖୁବ କମ ଥିବାରୁ ତାଙ୍କ ପକୁଡି ଖାଇବାକୁ ଲୋକଙ୍କ ସୁଅ ଛୁଟେ ।
ସେପଟେ ଲକଡାଉନ, ସଟଡାଉନ ପାଇଁ ବେପାର ହେଉନଥିବାରୁ ଦିନକୁ ୧୦୦ ଟଙ୍କା ବି ହେବା ମୁସ୍କିଲ । ଦିନେ ଯେଉଁ ଦୋକନରୁ ଦୁଇ ହଜାର ଟଙ୍କା ରୋଜଗାର ହୁଏ ସେଠୁ ଏତେ କମ୍ ଟଙ୍କା ଆସୁଥିବାରୁ ଦିନେ ଦିନେ ଉପାସରେ ଶୋଇ ପଡିନ୍ତି ଫେଲୁ ମଉସା ଓ ତାଙ୍କ ପରିବାର । ତେବେ ମହାମାରୀ ମାଡରେ ଭାଙ୍ଗି ନଯାଇ ମୁହଁରେ ମେଞ୍ଚାଏ ହସ ନେଇ ପୁଣି ପକୁଡି ଛାଣି ପରିବାର ପୋଷିବାକୁ ପଦାକୁ ଓହ୍ଲାଇଛନ୍ତି ଫେଲୁ । ଆଉ ହସି ହସି, ଜୀବନ ମୃତ୍ୟୁ କଥା କହି କହି ଲୋକଙ୍କୁ ପକୁଡି ଖୁଆଇ ଆସୁଛନ୍ତି ।
ତେବେ କଟକଣା ପାଇଁ କୌଣସି ହୋଟେଲ କି ରେଷ୍ଟୁରାଣ୍ଟ ଖୋଲୁନଥିବାରୁ ଲୋକେ ଅନଲାଇନ ଅର୍ଡର କରି ଘରେ ଖାଉଛନ୍ତି । ଆଉ ଲକଡାଉନ ସମୟରେ ସ୍ୱିଗି, ଜମାଟୋ ଭଳି ଫୁଡ୍ ଡେଲିଭରି ସଂସ୍ଥାର ଚାହିଦା ମଧ୍ୟ ବଢୁଛି । ଯଦି ସେଭଳି କୌଣସି ସଂସ୍ଥା ଫେଲୁ ମଉସାଙ୍କ ପାଖରୁ ପକୁଡି କିଣି ଅନଲାଇନରେ ବିକ୍ରି କରନ୍ତେ ତେବେ ମଉସାଙ୍କ ପକୁଡିକୁ ଭଲପାଉଥିବା ଲୋକଙ୍କ ଘରେ ଘରେ ପହଞ୍ଚି ପାରନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/PAKUDI_UP_00000.png)