ମୃତ୍ୟୁ ମୁଖରୁ ବଞ୍ଚିଗଲେ ବୟସ୍କ ବ୍ୟକ୍ତି : ଟ୍ରେନ୍ ଟ୍ରାକରୁ ଜୀବନ ବଞ୍ଚାଇଲେ ଚାଳକ; ସେଣ୍ଟ୍ରାଲ ମୁମ୍ବାଇର ଘଟଣା

239

କନକ ବ୍ୟୁରୋ : ମୃତ୍ୟୁକୁ କେହି ଦେଖି ନାହାଁନ୍ତି । ଯିଏ ମୃତ୍ୟୁ ପାଖକୁ ଯାଇଛି, ତା ପାଖକୁ ଜୀବନ ଚାଲିିଯାଇଛି । କିନ୍ତୁ ମୃତ୍ୟୁ ପାଖକୁ ଯାଇ ଜୀବନ୍ତ ଫେରି ଆସିବା ଭଳି ଘଟଣା, କେବଳ ଫିଲ୍ମ କିମ୍ବା କାହାଣୀରେ ଘଟେ । କାରଣ, ସେଠି ଲେଖକ କିମ୍ବା ନିର୍ଦ୍ଦେଶକଙ୍କ ଇସାରାରେ ଚରିତ୍ରମାନେ ନିଜ ଭୂମିକା ତୁଲାନ୍ତି । ସତସତିକା ଜୀବନରେ ଜଣେ ଲେଖକ ଅଛନ୍ତି, ଜଣେ ନିର୍ଦ୍ଦେଶକ ଅଛନ୍ତି । ଯାହାଙ୍କ ବିନା ଇସାରାରେ କିମ୍ବା ଇଚ୍ଛାରେ କିଛି ବି ଘଟେ ନାହିଁ । ସିଏ ମୃତ୍ୟୁ ବି ହେଉନା କାହିଁକି ? ସେଥିପାଇଁ ଆମ ଓଡ଼ିଆରେ କୁହନ୍ତି- ‘ରଖେ ହରି ତ ମାରେ କିଏ’ ।

ସେମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ଜଣେ ବୟସ୍କ ବ୍ୟକ୍ତି ନିଶ୍ଚିତ ମୃତ୍ୟୁରୁ ବଞ୍ଚି ଯାଇଛନ୍ତି । ସେଣ୍ଟ୍ରାଲ ମୁମ୍ବାଇରୁ ଏହି ଚିତ୍ର ଆସିଛି । ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି, ଷ୍ଟେସନରେ ରେଳ ଧାରଣା ଅତିକ୍ରମ କରୁଥିଲେ, ଠିକ୍ ସେତେବେଳେ ମାଡ଼ି ଆସିଥିଲା ଏକ ଟ୍ରେନ୍ । ରେଳ ଧାରଣାରେ ଜଣେ ବୟସ୍କ ବ୍ୟକ୍ତି ଯାଉଥିବା ଦେଖି ଟ୍ରେନ୍ ଚାଳକ ଟ୍ରେନକୁ ରଖିବା ପାଇଁ ବ୍ରେକ୍ ମାରିଥିଲେ । ହେଲେ ଟ୍ରେନ୍ କୌଣସି ଛୋଟ ଯାନ ନୁହେଁ ଯେ, ବ୍ରେକ୍ ମାରୁ ମାରୁ ଟ୍ରେନଟି ଅଟକି ଯାଇଥାନ୍ତା । ଟ୍ରେନଟି ଅଟକିଲା ସତ କିନ୍ତୁ କିଛି ସମୟ ବିଳମ୍ବରେ । ଆଉ ସେତେବେଳେକୁ ବୃଦ୍ଧ ଜଣକ ସଂପୂର୍ଣ୍ଣ ଭାବରେ ଇଞ୍ଜିନ୍ ଭିତରକୁ ଚାଲିଯାଇଥିଲେ ।

ଯେତେବେଳେ ଟ୍ରେନଟି ଅଟକିଥିଲା, ପାଇଲଟ୍ ଏବଂ ରେଳ ବିଭାଗର କିଛି କର୍ମଚାରୀ ଆସି ବୃଦ୍ଧଙ୍କ ଅବସ୍ଥା କେମିତି ଅଛି ବୋଲି ଦେଖିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ଇଞ୍ଜିନଟି ତାଙ୍କ ଉପରେ ଚଢ଼ିଯାଇଥିଲେ ବି ସେ ଜୀବିତ ଥିଲେ । ବହୁ କଷ୍ଟରେ ବୃଦ୍ଧଙ୍କୁ ସେଠୁ ବାହାର କରିଥିଲେ ପାଇଲଟ ଏବଂ ରେଳ କର୍ମଚାରୀ । ବୟସ କାରଣରୁ ହୁଏତ ଏହି ବୃଦ୍ଧଙ୍କ ଶୁଣିବାରେ ସମସ୍ୟା ବି ଥାଇପାରେ । ଯେଉଁଥିପାଇଁ ଏଭଳି ଏକ ଘଟଣା ଘଟିଯାଇଥିଲା । ଯେଉଁମାନେ ସେଠି ଉପସ୍ଥିତ ଥିଲେ ସମସ୍ତେ ଟ୍ରେନ୍ ଚାଳକଙ୍କ ଉପସ୍ଥିତି ବୁଦ୍ଧିକୁ ପ୍ରଶଂସା କରିଥିଲେ । ଆଉ ମରଣ ମୁହଁରୁ ଫେରି ଆସିଥିଲା ଗୋଟିଏ ଜୀବନ ।