ଆଖିକୁ କେହି ବିଶ୍ବାସ କରିପାରିଲେନି। ଦୁଇମାସ ପୂର୍ବେ ଯାହାର ଶୁଦ୍ଧିକ୍ରିୟା ଶେଷ ହୋଇଥିଲା ସେ ସଶରୀରରେ ଛିଡ଼ା ହୋଇଥିଲେ। ପତ୍ନୀଙ୍କ ବିଧବା ରୂପ ଦେଖି ବୃଦ୍ଧ ଜଣକ କ୍ଷୋଭ ପ୍ରକାଶ କରିବା ସହ ପରିବାର ସଦସ୍ୟ ତାଙ୍କୁ ଶୁଦ୍ଧ ହୋଇସାରିଦେଇଥିବା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପର୍ଜଙ୍ଗ ବ୍ଲକ୍ ପରମହଂସପୁର ଗାଁରେ ଆଜି ଏହି ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଏହି ଗାଁର ଶରତ ସାହୁ(୭୦) ଗତ ନଭେମ୍ବର ମାସରୁ କେଉଁଆଡ଼େ ପଳାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜିଥିଲେ ବି ତାଙ୍କୁ ପାଇନଥିଲେ। ଭୁବନେଶ୍ୱର ନୟାପଲ୍ଲୀ ଥାନା ପକ୍ଷରୁ ଗତ ଡିସେମ୍ବର ୧୫ ଓ ୧୭ ତାରିଖରେ ଦୁଇଦିନ ଧରି ‘ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର’ ଶୀର୍ଷକରେ ଏକ ବିଜ୍ଞାପନ ଫଟୋ ସହ ପ୍ରକାଶ ପାଇଥିଲା। ଶରତଙ୍କ ସହ ଏହି ଫଟୋର ସାମଞ୍ଜସ୍ୟ ଥିଲା। ଶରତଙ୍କ ଦୁଇପୁଅ ପର୍ଶୁରାମ, ବଳରାମ, ଜ୍ୱାଇଁ, ଗାଁ ସଭାପତି ଧୀରେନ୍ଦ୍ର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଅନିଲ ପ୍ରଧାନ ନୟାପଲ୍ଲୀ ଥାନାକୁ ଯାଇ ମୃତବ୍ୟକ୍ତି ଶରତ ବୋଲି ଜଣାଇଥିଲେ। ସେତେବେଳକୁ ପୁଲିସ ଶବ ସତ୍କାର କରିସାରିଥିଲା। ପରିବାର ଲୋକେ ଫେରି ଗତ ଡିସେମ୍ବର ୨୬ ଓ ୨୭ରେ ବିଧି ମୁତାବକ ଦଶାହ ଓ ଏକାଦଶାହ ସାରିଥିଲେ। ଶରତଙ୍କ ପତ୍ନୀ ରତନୀଙ୍କୁ ବିଧବା ହେବାକୁ ପଡ଼ିଥିଲା। ଆଜି ସକାଳେ କିନ୍ତୁ ଶରତଙ୍କୁ ତାଳଚେର ବହ୍ଲର ଛକରେ ପୂର୍ବତନ ସରପଞ୍ଚ ଶ୍ରୀ ପ୍ରଧାନ ଦେଖି ତାଙ୍କ ଘରକୁ ଜଣାଇଥିଲେ। ଶରତ ଅଟୋରେ ଘରେ ପହଞ୍ଚିଥିଲେ। ତାଙ୍କୁ ଦେଖିବାକୁ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ। ଶରତ ଭୁବନେଶ୍ବରରେ ଜଣେ ଲୋକଙ୍କ ଘରେ କାମ କରି ରହୁଥିଲେ ବୋଲି କହିଛନ୍ତି। ଏହାପରେ ପରିବାର ଲୋକ ଓ ଗ୍ରାମବାସୀ ରତନୀଙ୍କୁ ନିକଟ ଅଷ୍ଟଶମ୍ଭୁ ମନ୍ଦିରକୁ ନେଇ ଶଙ୍ଖା ସିନ୍ଦୂର ପିନ୍ଧାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/oldman-f-640x430.jpg)