ଦିବ୍ୟାଙ୍ଗ ବୁଢା ବାପା ଉପରେ ଯବାନ ପୁଅର ବୋଝ । ସାହାଯ୍ୟ ପାଇଁ କରୁଛନ୍ତି ସରକାରଙ୍କୁ ଗୁହାରୀ ।

132

କନକ ବ୍ୟୁରୋ: ନିଜେ ଚଳିବାକୁ ବଳ ନାହିଁ । ଏପରି ଅବସ୍ଥାରେ ଭେଣ୍ଡିଆ ପୁଅର ବୋଝ ବୋହୁଛନ୍ତି ଦିବ୍ୟାଙ୍ଗ ବୁଢା ବାପା । ଦୁର୍ଘଟଣା ଯବାନ ପୁଅକୁ ଅଥର୍ବ କରିଦେଇଛି । ଆଉ ପୁଅକୁ ନେଇ ଚାଲିଥିବା ପରିବାରରୁ ହଜିଯାଇଛି ସବୁ ଖୁସି । ଖଟ ଉପରେ ନିଶ୍ଚଳ ହୋଇ ପଡିରହିଛି ଯବାନ୍ ପୁଅ । ଆଉ ପୁଅକୁ ଆସରା କରିଥିବା ଦିବ୍ୟାଙ୍ଗ ବୁଢା ବାପା ଏବେ ଏ ବୟସରେ ବୋହୁଛନ୍ତି ପୁଅର ବୋଝ । ଇଏ ହେଉଛି ବୌଦ୍ଧ ଜିଲ୍ଲା ବାଗବର ଗାଁର କାର୍ତ୍ତି ଦେହୁରୀଙ୍କ ପୁଅ ଜିତେନ୍ଦ୍ର ଦେହୁରୀଙ୍କ ଦୁଃଖଭରା କାହାଣୀ ।

ଦିନ ଥିଲା ସବୁ କିଛି ଠିକ୍ ଚାଲିଥିଲା । ଡ୍ରାଇଭର ଭାବେ କାମ କରୁଥିବା ପୁଅର ରୋଜଗାରରେ ସୁରୁଖୁରୁରେ ଚାଲୁଥିଲା ପରିବାର । ହେଲେ ଦିନେ ଏହି ପରିବାର ଉପରେ ଯେପରି ଚଡକ ପଡିଲା । କାର୍ତ୍ତିକ ଦେହୁରୀଙ୍କ ପୁଅ ଜିତେନ୍ଦ୍ର ଦିନେ ବାଇକରେ ଘରକୁ ଫେରିବା ବେଳକୁ ବାଟରେ ଏକ ଦୁର୍ଘଟଣା ଘଟିଲା । ଏଥିରେ ତାଙ୍କ ଅବସ୍ଥା ଏତେ ସାଂଘାତିକ ହୋଇଥିଲା ଯେ, ତାଙ୍କ ଅଣ୍ଟା ତଳୁ ଶରୀର ଅଚଳ, ହୋଇଗଲା, ଆଉ ସେ କୋମାକୁ ଚାଲିଯାଇଥିଲେ । ୨ ଦିନ ପରେ ତାଙ୍କର ହୋସ୍ ଆସିଥିଲେ ବି ଗୋଡ ହାତ ଚାଲିନଥିଲା । ଡାକ୍ତର ଜଟିଳ ଅସ୍ତ୍ରୋପଚାର ପାଇଁ କହିଥିଲେ ବି କଟକ ବଡ ଡାକ୍ତରଖାନାରେ ଏହା ସମ୍ଭବ ହୋଇନଥିଲା । ଫଳରେ ଧାରଉଧାର କରି ଏକ ଘରୋଇ ହସ୍ପିଟାଲରେ ସର୍ଜରୀ କରାଇଲେ । ହେଲେ ଜିତେନ୍ଦ୍ରଙ୍କ ଠାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ପୁଅ ପିଛାରେ ଏଯାଏଁ ପାଖାପାଖି ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ଆଉ ସମ୍ବଳ ନାହିଁ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ବି ଜିତେନ୍ଦ୍ରଙ୍କୁ ମିଳିନାହିଁ କୌଣସି ସୁବିଧା । ଜିତେନ୍ଦ୍ରଙ୍କ ବାପାଙ୍କ ସହ ଗାଁ ଲୋକେ ବି ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଥିଲେ ବି କିଛି ଲାଭ ହୋଇନି । ଏପରି ସ୍ଥଳେ ପୁଅକୁ ନେଇ ଘୋର ଚିନ୍ତାରେ ଦିବ୍ୟାଙ୍ଗ ବୁଢା ବାପା ।

ଘର ଡିହ ଖଣ୍ଡକୁ ଛାଡି ଆଉ କିଛି ନାହିଁ । ପୁଅ ଦୁର୍ଘଟଣାଗ୍ରସ୍ତ ହୋଇ ବିଛଣା ଧରିବା ପରେ ରୋଜଗାର ବୋଲି କିଛି ନାହିଁ । ଏଭଳି ସ୍ଥିତିରେ ପୁଅକୁ କୋଉଠିକ ନେବେ କେମିତି ଭଲ କରିବେ, ଏଇ ଚିନ୍ତାରେ ଘାରି ହୋଉଛନ୍ତି ବାପା କାର୍ତ୍ତିକ ଦେହୁରୀ । ତେଣୁ କିଛି ସାହାଯ୍ୟ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଜିତେନ୍ଦ୍ର । ଆଉ ଏ ବିଷୟରେ ଗଣମାଧ୍ୟମ ଠାରୁ ଜାଣିବା ପରେ ସାହାଯ୍ୟ କରିବାକୁ ପ୍ରତିଶୁତି ଦେଇଛନ୍ତି ସିଡିଏମଓ ।ବୁଢା ବାପାଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ, କେବେ ଦୁଃଖ ଶୁଣିବେ ସରକାର, କେବେ ବଦଳିବ ତାଙ୍କ ପୁଅର ଜୀବନ