କିଡନୀ ରୋଗରେ ଶଯ୍ୟାଶାୟୀ ଭେଣ୍ଡିଆ ପୁଅ, ସାହାଯ୍ୟ ପାଇଁ ଗୁହାରୀ କରୁଛନ୍ତି ବୃଦ୍ଧ ବାପା-ମାଆ

79

କନକ ବ୍ୟୁରୋ: ଯେଉଁ ବୟସରେ ଅର୍ଥ ରୋଜଗାର କରି ବୃଦ୍ଧ ପିତାମାତାଙ୍କର ସେବା କରିବା କଥା ସେହି ବୟସର ଯୁବକ ଏବେ ଶଯ୍ୟାଶାୟୀ ହୋଇ ବୃଦ୍ଧ ପିତାମାତାଙ୍କ ଠାରୁ ସେବା ପାଉଛନ୍ତି । କିଡ଼ନୀ ରୋଗ ଆଗରେ ମୁଣ୍ଡ ନୁଆଁଇଛନ୍ତି ୩୧ ବର୍ଷର ଯୁବକ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପଥରପଦା ଗ୍ରାମରେ ।

ଭେଣ୍ଡିଆ ପୁଅକୁ ଯଦି ବୃଦ୍ଧ ବାପାଙ୍କ ସାହାରା ନେବାକୁ ପଡେ, ତେବେ ଏହାଠୁ ବଡ ଦୁଃଖ ଉଭୟ ବୃଦ୍ଧ ବାପା ଓ ପୁଅ ପାଇଁ କିଛି ନାହିଁ । ଯାଜପୁର ଜିଲ୍ଲା ପଥରଗଦା ଗାଁର ସୁରେନ୍ଦ୍ର ପୃଷ୍ଟିଙ୍କ ପୁଅ ରାଜୀବ ପୃଷ୍ଟିଙ୍କ କୀଡନି ଖରାପ ହେବା ପରଠୁ ଅଭାବୀ ପରିବାର ଉପରେ ଖସି ପଡିଛି ଦୁଃଖର ପାହାଡ । ବାହାଘର, ବ୍ରତଘରରେ ଭିଡ଼ିଓ ସୁଟିଂ କରି ପରିବାର ପ୍ରତିପୋଷଣ କରୁଥିଲେ ରାଜୀବ । ଏବେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି, ଆଉ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଡାକ୍ତର କହୁଛନ୍ତି ଚିକିତ୍ସା ପାଇଁ ୧୮ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଜମିବାଡ଼ି କିଛି ନାହିଁ, ଘରର ରୋଜଗାରିଆ ପୁଅ ଶଯ୍ୟାଶାୟୀ ହେବାରୁ ବାପାମାଆଙ୍କୁ ବୁଦ୍ଧିବାଟ ଦିଶୁ ନାହିଁ ।

ରାଜୀବଙ୍କ ଘରେ ଦୁଇଟି ଛୋଟ ଛୁଆ । କୀଡନି ଫେଲ ହୋଇଥିବା ଜାଣିବା ପରେ ହତାଶ ହୋଇପଡିଛନ୍ତି ପୁରା ପରିବାର । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ମିଳିଲେ ରାଜୀବଙ୍କ ଚିକିତ୍ସା ହେବ ଓ ତାଙ୍କ ସଂସାର ପୁଣି ହସିବ ବୋଲି ଆଶା ରଖିଛନ୍ତି । ଏନେଇ କୋରେଇ ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସରକାରୀ ନିୟମ ଅନୁଯାୟୀ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।