ବୁଢା ବୟସରେ ବି କମିନି ପ୍ରେମ । ସାଙ୍ଗ ହୋଇ ଛାଣୁଛନ୍ତି, ମସଲା ବରା ଦେଇ ମନ ଜିଣୁଛନ୍ତି ମଉସା-ମାଉସୀ…

549

କନକ ବ୍ୟୁରୋ: ମେଘୁଆ ପାଗ, ଶୀତୁଆ ସଞ୍ଜ ଆଉ ଓଦା ଓଦା ଅପରାହ୍ଣରେ ମନ ଯେବେ ରୋମାଣ୍ଟିକ ହୋଇଯାଏ… ସେବେ ଓଠ ଖୋଜେ ଉଷୁମ ଚା, ପାଟି ଖୋଜେ ଗରମ ଗରମ ପକୁଡି… ଠିକ ସେତିକି ବେଳେ ମାଟିକାନ୍ଥର ଏ ଆଜବେଷ୍ଟ ଘରୁ ମହମହ ହୋଇ ଭାସିଆସେ ମସଲା ବରାର ବାସ୍ନା… ଯେଉଁଠି ତତଲା ତେଲରେ ମଉସା ଛାଣନ୍ତି ପ୍ରେମର ପକୁଡି, ପ୍ରୀତିର ପୂର ଦେଇ ମାଉସୀ ଛାଣନ୍ତି ମସଲା ବରା… ଦୂରରୁ ନାମୀ ଦାମୀ ଦୋକାନ ଭଳି ନଦିଶୁଥିଲେ ବି ଏହି ଛୋଟ ଜଳଖିଆ ଦୋକାନରେ ଯୋଡି ହୋଇଛି ଦୁଇଟି ମନ । ଆଉ ଏ ପରିଣତ ବୟସରେ ଲୋକଙ୍କୁ ମନଶାନ୍ତି କଲା ଭଳି ସୁଆଦିଆ ମସଲା ବରା ଖୁଆଉଛନ୍ତି ଅନୁଗୁଳର କାର୍ତ୍ତିକ ମଉସା ଓ ଫୁଲ ମାଉସୀ…

ପ୍ରେମର କରିବାରେ କି ପ୍ରେମରେ ବଞ୍ଚିବାର କୌଣସି ବୟସ ନଥାଏ । ମଶାଣୀକୁ ଗଲା ଯାଏଁ ବି ମନରୁ ମରେନି ପ୍ରେମ । ଏଇ ଯେମିତି ଅନୁଗୁଳ ତାଳଚେର ଏକଡାଳିଆ ଗାଁରେ ଜଳଖିଆ ଦୋକାନ କରିଥିବା କାର୍ତ୍ତିକେଶ୍ୱର ସାହୁ ଏବଂ ତାଙ୍କ ପତ୍ନୀ ଫୁଲ ସାହୁ । ବୟସ ୬୫ ପାରେଇଲାଣି, ତଥାପି ପ୍ରେମ କରି କରି ଏମାନେ ଆରାମରେ ଜୀବନର ରଥକୁ ଗଡେଇ ନିଅନ୍ତି । ଜଳଖିଆ ଦୋକାନରେ କାର୍ତ୍ତିକ ମଉସା ବରା, ପିଆଜି, ପକୁଡି, ଆଳୁଚପ, ମିଠା ଇତ୍ୟାଦି ବିକ୍ରି କରନ୍ତି । ହେଲେ ତାଙ୍କ ହାତ ତିଆରି ମସଲା ବରାର ନାଁ ଡାକ ରହିଛି । ଯାହାକୁ ଖାଇବା ପାଇଁ ଦୂରଦୂରରୁ ବି ଲୋକେ ଧାଇଁ ଆସନ୍ତି…

ଦୀର୍ଘ ୫୦ ବର୍ଷ ହେଇଯିବ ମଉସା ଏହି ଦୋକାନ କରିଛନ୍ତି । ଆଉ ତାଙ୍କୁ ସବୁ କାମରେ ସହଯୋଗ କରନ୍ତି ତାଙ୍କ ସହଧର୍ମିଣୀ । ଘରେ ପିଲାଛୁଆ ପରିବାର ଚଳାଉଛନ୍ତି । ଏ ବୟସରେ ବସି ବସି ଆଉ କଣ କରିବେ ତେଣୁ ନିଜ ହାତର ଯାଦୁ ଅନ୍ୟକୁ ବାଣ୍ଟନ୍ତି ଦୁହେଁ । ଯଦି ସେମାନେ କେବେ ଦୋକାନ ବନ୍ଦ କରି ଦିଅନ୍ତି ତେବେ ଲୋକେ ବିଚଳିତ ହୋଇ ଖୋଜନ୍ତି । ଆଉ ସେଥିରୁ ଜଣାପଡେ ମଉସା ମାଉସୀଙ୍କ ମସଲା ବରାର କେତେ ପ୍ରସିଦ୍ଧି ରହିଛି ଉକ୍ତ ଅଞ୍ଚଳରେ…

ମଉସା ଭାରି ମଜାଳିଆ ଲୋକ । ତାଙ୍କର ଥଟ୍ଟାମଜା, ଖଣ୍ଡି ଖଣ୍ଡି ଇଙ୍ଗିତ ଲୋକଙ୍କୁ ଭାରି ଭଲଲାଗେ । ମାଉସୀ ବି କିଛି କମ୍ ନୁହଁନ୍ତି ମ, ମାଉସୀଙ୍କ ନାଁ ଯେମିତି ତାଙ୍କ ହସ ସେମିତି । ପୂରା ଫୁଲ ପରି… ଯାହାକୁ ତୋଳି ଧରନ୍ତି କାର୍ତ୍ତିକ ମଉସା । ଦୁହିଁଙ୍କ ସାଧାରଣ ଜୀବନଶୈଳୀ, ମନଖୋଲା କଥାବାର୍ତ୍ତା ପାଇଁ ତାଙ୍କ ପାଖରେ ଲାଗେ ଗ୍ରାହକଙ୍କ ଭିଡ ।

ଏଇ ପରିଣତ ବୟସରେ ବି ପ୍ରେମ କରିବା ଭୁଲି ନାହାନ୍ତି ମଉସା- ମାଉସୀ । କେହି କାହାକୁ ଘଡିଏ ବି ଛାଡି ରହିପାରନ୍ତି ନାହିଁ । ଯୁଆଡେ ଯାଆନ୍ତି ସାଙ୍ଗ ହୋଇଯାଆନ୍ତି । ଏକାଠି ସାଇକେଲରେ ଆସନ୍ତି, ଏକାଠି ବସନ୍ତି, ଏକାଠି ହସନ୍ତି । ସେମାନଙ୍କ ଭିତରେ ନା ଥାଏ ଛନ୍ଦ କପଟ ନା ରାଗରୁଷା । ସବୁବେଳେ ହସ ହସ ମୁହଁରେ ଥାନ୍ତି ଏ ପ୍ରେମର ଯୋଡି । ସବୁଠୁ ବଡ କଥା ହେଉଛି ବାହାଘର ପରଠୁ ସେମାନଙ୍କର କେବେ ମନମାଳିନ୍ୟ ହୋଇନି । ଜୀବନ ଜିଇଁବାକୁ ଏଇ ଶେଷ ସମୟରେ ଆଉ କଣ ଦରକାର ଯେ, ଏଇ ପ୍ରେମ ଟିକକ ଛଡା । ତେବେ ଆପଣ ଯଦି ତାଳଚେର ଯାଉଛନ୍ତି ତାହାଲେ ଥରେ ବୁଲିଯାଆନ୍ତୁ ମଉସା-ମାଉସୀଙ୍କ ଜଳଖିଆ ଦୋକାନ । ଯେଉଁଠି ଆପଣ ମସଲା ବରାର ମଜା ନେବା ସହ ଏକ ନିଆରା ପ୍ରେମ କାହାଣୀଙ୍କୁ ପାଖରୁ ଦେଖିପାରିବେ…