ମଣିଷଙ୍କ ସହ କୋଠା ଘରେ ରହୁଛି, ପରିବାରର ସଦସ୍ୟଙ୍କ ପରି ଚଳୁଛି ବାଛୁରୀ ବଜରଙ୍ଗୀ…

484

କନକ ବ୍ୟୁରୋ: ବାଛୁରୀର ନାଁ ବଜରଙ୍ଗୀ । ପଶୁ ନୁହେଁ ପୁଅ ପରି ବଢିଛି । ମଣିଷଙ୍କ ସହ କୋଠା ଘରେ ରହୁଛି… ସବୁ ମଣିଷ ପଶୁଙ୍କ ପ୍ରତି ନିର୍ଦ୍ଦୟ ହୁଅନ୍ତିନି କି ସମସ୍ତେ ପଶୁଙ୍କୁ ଘୃଣା କରନ୍ତିନି । କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ପଶୁଙ୍କୁ ଏତେ ମାତ୍ରାରେ ଭଲପାଆନ୍ତି ଯେ, ପଶୁଙ୍କୁ ନିଜ ପୁଅ ପରି ପାଳି ପୋଷି ବଡ କରନ୍ତି । ଠିକ୍ ଏହି ଛୁଆ ବାଛୁରୀ ବଜରଙ୍ଗୀକୁ ଏ ସ୍ନେହୀ ଆଉ ଦରଦୀ ମଣିଷ ବଡ କଲା ପରି ।

ମଣିଷଙ୍କ ପରି ପାହାଚରେ ଯିବା ଆସିବା କରେ ବଜରଙ୍ଗୀ । ଶିଢିରେ ଚଢି ଛାତ ଉପରକୁ ଯିବା, ଆଉ ଶିଢିରେ ତଳକୁ ଖସିବା ବଜରଙ୍ଗୀ ପାଇଁ ନିତି ଦିନିଆ କଥା । କାରଣ ଏ ବିରାଟ ବିଲ୍ଡିଂ ଭିତରେ ରହିଛି ବାଛୁରୀ ପାଇଁ ସ୍ୱତନ୍ତ୍ର ବେଡରୁମ୍ । ଯେଉଁଠି ସେ ଶୁଏ । ଆଉ ତା ପାଇଁ ବି ଘରେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରନ୍ତି ରାଜଧାନୀର ଏ ପଶୁପ୍ରେମୀ ଦମ୍ପତ୍ତି । ଭୁବନେଶ୍ୱର ନୀଳଦ୍ରୀ ବିହାର ଅଞ୍ଚଳରେ ଥିବା ଡିଫେନ୍ସ କଲୋନୀର ସୁନାକର ସ୍ୱାଇଁ ଓ ସ୍ନେହଲତା ସ୍ୱାଇଁ ଗୋଟେ ବାଛୁରୀକୁ ନିଜ ପୁଅ ପରି ପାଳିଛନ୍ତି । ୮ରୁ ୧୦ ମାସ ହେବ ବାଛୁରୀଟି ଏହି ଘରେ ରହୁଛି । ବାଛୁରୀର ମାଆ ହଠାତ ମରିଯିବା ପରେ ସ୍ୱାଇଁ ଦମ୍ପତ୍ତି କୁନି ବାଛୁରୀଟିକୁ ନିଜର କରି ନେଇଥିଲେ ଆଉ ତା ନାଁ ଆଦରରେ ବଜରଙ୍ଗୀ ଦେଇଥିଲେ ।

ବଜରଙ୍ଗୀ ଯେତେବେଳେ ଛୋଟ ଥିଲା ସେତେବେଳୁ ଘରର ସବୁ ସ୍ଥାନରେ ତାର ପ୍ରବେଶ । ଠାକୁର ଘର ହେଉ କି ପୂଜା ସ୍ଥଳୀ, ଘରର ସଦସ୍ୟଙ୍କ ପରି ବାଛୁରୀକୁ ସବୁଥିରେ ସାମିଲ କରନ୍ତି ଏମାନେ । ଆଉ ଇତି ମଧ୍ୟରେ ବାଛୁରୀ ବଜରଙ୍ଗୀ ବଡ ହୋଇଯାଇଛି । ସୁନାକର ସ୍ୱାଇଁ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ । ଆଉ ସେ ପଶୁପ୍ରେମୀ ହୋଇଥିବାରୁ ବାଛୁରୀକୁ ନିଜ ଘରର ପୁଅ ପରି ପାଳନ କରି ତାର ଯତ୍ନ ନେଉଛନ୍ତି । ଯାହା ସମାଜ ପ୍ରତି ଏ ପ୍ରେରଣାଦାୟୀ ଖବର ।