କନକ ବ୍ୟୁରୋ: ଅଧାଭଙ୍ଗା ଦଦରା ଘର, ତା ଭିତରେ ଦିଟା ଭଙ୍ଗା ଖଟିଆରେ ପଡି ରହିଛନ୍ତି ବୁଢାବୁଢି ଦି ଜଣ । ଜଣେ ମୁଖ କ୍ୟାନ୍ସରରେ ପୀଡିତ । ଆଉ ଜଣଙ୍କୁ ପକ୍ଷାଘାତ ସହ ଗୁରୁତର ବ୍ୟାଧି । ବିଧାତାର ଗୋଟିଏ ପରେ ଗୋଟିଏ କଷ୍ଟକୁ ସହିବି ନିଜ ନିଜ ଭାଗ୍ୟକୁ ଆଦରି ରହିଛନ୍ତି ବୃଦ୍ଧ ଦମ୍ପତ୍ତି । ନିଜ ଶରୀର କଷ୍ଟକୁ ଚାପିରଖି ରୋଗୀଣା ସ୍ତ୍ରୀର ସେବାରେ ଦିନ ରାତି ଏକ କରି ଦେଉଛନ୍ତି ବୃଦ୍ଧ ଜଣକ । ସାହା ବୋଲି କେହି ନାହିଁ । ଖାଲି ଯାହା ସାହିପଡିସାଙ୍କ ହାତ ଟେକାକୁ ଆଶ୍ରା କରି ବଞ୍ଚି ରହିଛନ୍ତି ଦୁହେଁ । ଏକଥା କହିଲା ବେଳକୁ ସଦାଶିବଙ୍କ ଆଖିରୁ ଲୁହ ଝରିଯାଉଛି । କଣ୍ଠ ରୁଦ୍ଧ ହୋଇଯାଉଛି ।

Advertisment

ଏ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ମଙ୍ଗରାଜପୁର ଗାଁର ସଦାଶିବ ନାୟକ । ସଦାଶିବଙ୍କ ଜୀବନ ସୁଖେଦୁଖେ ଚାଲିଥିଲା । ଚା’ ଦୋକାନଟେ କରି ୫ ପ୍ରାଣୀ କୁଟୁମ୍ବ ଚଳାଉଥିଲେ । ଦୁଇ ଝିଅ, ଗୋଟିଏ ପୁଅ ଓ ପତ୍ନୀ କାମିନୀଙ୍କୁ ନେଇ ତାଙ୍କ ପରିବାର ଚଳୁଥିଲା । ହେଲେ ଭାଗ୍ୟ ବାମ ହେଲା । ସବୁ ଓଲଟପାଲଟ ହୋଇଗଲା । ପାଟିରେ ଗୋଟିଏ ଫୋଟକାରୁ ସଦାଶିବ ମୁଖ୍ୟ କ୍ୟାନ୍ସରରେ ଆକ୍ରାନ୍ତ ହେଲେ । ଅପରେସନ ପରେ ବି ଏଥିରୁ ଏଯାଏଁ ତାଙ୍କୁ ନିସ୍ତାର ମିଳିନି । ଗୋଟିଏ ବୋଲି ପୁଅ ମାନସିକ ଭାରସାମ୍ୟ ହରାଇ କେଉଁଆଡେ ଚାଲିଗଲା । ଏତିକିରେ ଦୁଃଖ ସରିଲାନି ଯେ ଶେଷରେ ସ୍ତ୍ରୀଙ୍କୁ ବି ରୋଗ ମାଡିବସିଲା । ଉକ୍ରଟ ମଧୁମେହ ସାଙ୍ଗକୁ ପକ୍ଷାଘାତରେ ପଡି ଏବେ ଶଯ୍ୟାଶାୟୀ । ଯୁୁଆଡେ ଚାହିଁଲେ ଘୋର ଅନ୍ଧାର । ନିଜେ ରୋଗାକ୍ରାନ୍ତ ହୋଇ ସ୍ତ୍ରୀର ସେବାରେ ରାତିଦିନ ଲାଗିଛନ୍ତି ସଦାଶିବ । ୟାଙ୍କ ପାଇଁ ଦଇବ ଏମିତି ଦାଉ ସାଜୁଛି ଯେ, କଷ୍ଟ ପରେ ପରେ କଷ୍ଟ ଏମାନଙ୍କ ପିଛା ଛାଡୁନି । ଜୀବନ ଯନ୍ତ୍ରଣାରେ ପେଶି ହୋଇଗଲେଣି ବୃଦ୍ଧ ସ୍ୱାମୀ ସ୍ତ୍ରୀ । ନା ଅଛି ଖଣ୍ଡେ ଘର ନାଁ ବାର୍ଦ୍ଧ୍ୟକ୍ୟ ଭତ୍ତା, ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ । ମାସକୁ ଯେଉଁ ୧୫ କେଜି ଚାଉଳ ମିଳୁଛି ସେତିକିରେ ବଞ୍ଚିଛି ଏମାନଙ୍କ ଜୀବନ । ଓଳିଏ ଖାଇଲେ ଆରଓଳି ଉପାସ । ପାଖରେ କାଣି କଉଡିଟେ ନାହିଁ । ଏଭଳି ସ୍ଥିତିରେ ରୋଗ ପାଇଁ ଟିକେ ଔଷଧ କିଣିବାକୁ ପଇସା କେଉଁଠୁ ଆସିବ । ତେଣୁ ସରକାରଙ୍କ ଦୟାକୁ ଅପେକ୍ଷା କରିଛନ୍ତି ସଦାଶିବ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସଦାଶିବଙ୍କ ବିଷୟରେ ଜାଣିବା ପରେ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଯାଇଛନ୍ତି କୋରେଇ ମେଡିକାଲ ଅଫିସର । ଏହାସହ ଇନସ୍ପେକ୍ସନ ପରେ ଘର ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ବିଡିଓ

ଆଶା ଓ ବିଶ୍ୱାସ ବୃଦ୍ଧ ସଦାଶିବଙ୍କ ଏହି ଦୁଃଖକୁ ଦେଖିବା ପରେ ଖୁବ୍ ଶୀଘ୍ର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ପ୍ରଶାସନ । ଆଉ କିଛି ମାତ୍ରାରେ ଲାଘବ ହେବ ରୋଗାକ୍ରାନ୍ତ ଦୁଇ ପ୍ରାଣୀଙ୍କ ଜୀବନ ।