୬୦ ବର୍ଷତଳେ ପରସ୍ପରକୁ ବିବାହ କରିବାକୁ ଦେଇଥିଲେ ପ୍ରତିଶ୍ରୁତି, ଏବେ ହେଲା ବାହାଘର

137

କନକ ବ୍ୟୁରୋ : ଏହି କାହାଣୀ ଏଭଳି ଏକ ଯୋଡିଙ୍କର ଯାହା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି । ୬୦ ବର୍ଷ ପୂର୍ବେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ହେଲେ ଉଭୟଙ୍କ ପରିବାର ଲୋକ ରାଜି ନହେବାରୁ ସେମାନଙ୍କ ବାହାଘର ଭାଙ୍ଗି ଯାଇଥିଲା । ଏହାର କିଛିବର୍ଷ ପରେ ଉଭୟ ପ୍ରେମିକ ଓ ପ୍ରେମିକା ଭିନ୍ନ ଭିନ୍ନ ସ୍ଥାନରେ ବିବାହ ମଧ୍ୟ କରିଥିଲେ । ହେଲେ ପ୍ରେମର ଏହି କାହାଣୀ ସେହିଠାରେ ସମାପ୍ତ ହୋଇ ନଥିଲା । ଦୀର୍ଘ ୬୦ ବର୍ଷ ପରେ ଏହି ପ୍ରେମରେ ଏକ ରୋମାଞ୍ଚ ଦେଖିବାକୁ ମିଳିଛି । ଆଜି ଉଭୟ ଉଭୟଙ୍କୁ ବିବାହ କରି ପତି ପତ୍ନୀ ଭାବେ ପୁଣି ନୂଆ ଜୀବନ ଆରମ୍ଭ କରିଛନ୍ତି ।

ନ୍ୟୁୟର୍କ ପୋଷ୍ଟ ମୁତାବକ ୭୯ ବର୍ଷିୟ ଲେନ ଅଲବ୍ରାଇଟନ ଓ ୭୮ ବର୍ଷିୟା ଜେନେଟ୍ ଷ୍ଟିୟର ପ୍ରଥମଥର ପାଇଁ ୧୯୬୩ ମସିହାରେ ପରସ୍ପରକୁ ଭେଟିଥିଲେ । ସେହି ସମୟରେ ଦୁଇଜଣଯାକ ଇଂଲଣ୍ଡର ଏକ ହସ୍ପିଟାଲରେ ନର୍ସିଂ ଟ୍ରେନିଂ ନେଉଥିଲେ । ଏହି ଯୋଡିଙ୍କ କହିବା କଥା କି, ସେମାନେ ପରସ୍ପରକୁ ପ୍ରଥମ ଦେଖାରେ ଭଲପାଇଯାଇଥିଲେ । ଏହାର କିଛି ମାସ ପରେ ଲେନ୍ ଜେନେଟଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

ହେଲେ ଜେନେଟଙ୍କ ପରିବାର ଲୋକ ଏହି ବାହାଘର ପାଇଁ ରାଜି ହୋଇ ନଥିଲେ । ଏହା ମଧ୍ୟରେ ଲେନ ବାହାଘର ପ୍ରସ୍ତୁତ ପାଇଁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ ଓ ସେଠାରେ ଜେନେଟ ଓ ନିଜ ପାଇଁ ଜମି କିଣି ଏହା ଉପରେ ଘର ନିର୍ମାଣ କରିଥିଲେ । ହେଲେ ଜେନେଟଙ୍କ ପରିବାର ଲୋକ ଜେନେଟଙ୍କୁ ଅଷ୍ଟ୍ରେଲିଆ ଯିବାକୁ ଦେଇ ନଥିଲେ । ଫଳରେ ଜେନେଟ ବାଧ୍ୟ ହୋଇ ନିର୍ବନ୍ଧ ଭାଙ୍ଗି ଦେଇଥିଲେ ।

ଏସବୁ ଭିତରେ ଲେନ୍ ଅଷ୍ଟ୍ରେଲିଆର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେପଟେ ଜେନେଟ ମଧ୍ୟ ଅନ୍ୟଜଣେ ପୁରୁଷଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୫୨ବର୍ଷ ପରେ ଲେନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜର ପୁରୁଣା ପ୍ରେମକୁ ପାଇବାକୁ ପୁଣି ଇଂଲଣ୍ଡ ଫେରିଆସିଥିଲେ । ଏଠାକୁ ଫେରି ସେ କୌଣସି ପ୍ରକାର ଜେନେଟଙ୍କ ଠିକଣା ପାଇଥିଲେ ।

ଲେନ ଯେତେବେଳେ ଜେନେଟଙ୍କ ଘରେ ପହଂଚିଥିଲେ ସେତେବେଳେ ଜେନେଟ ତାଙ୍କ ସ୍ୱାମୀଙ୍କ ସହ ଥିଲେ । ହେଲେ ସେ ଲେନଙ୍କୁ ଚିହ୍ନି ନପାରି ଘରୁ ବାହାର କରିଦେଇଥିଲେ । ଏହାର ଦୁଇବର୍ଷ ପରେ ଜେନେଟଙ୍କ ସ୍ୱାମୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ଲେନ ପୁଣି ଜେନେଟଙ୍କ ସହ ସଂପର୍କ ବଢାଇଥିଲେ । ଏବେ ପୁଣିଥରେ ଉଭୟଙ୍କ ମଧ୍ୟରେ ବାହାଘର ହୋଇଛି ।