କନକ ବ୍ୟୁରୋ: ପ୍ରେମ ପାଇଁ ବୟସ ନଥାଏ, ପ୍ରେମ କେତେବେଳେ, କାହା ସହ, କେବେ ବି ହୋଇଯାଏ । କିଛି ପ୍ରେମ ଯୁବାବସ୍ଥାରେ ହୁଏ ଆଉ ମଲାଯାଏ ରହେ । ତାହାକୁ ତ କୁହାଯାଏ ଅମର ପ୍ରେମ କାହାଣୀ । ଯେତେ ବୟସ ହେଉ, ଯେତେ ଫଗୁଣ ଯାଉ ପ୍ରେମରେ ବିଶ୍ୱାସ କରୁଥିବା, ପ୍ରେମରେ ଜିଉଁଥିବା ମଣିଷମାନେ ସବୁ ସମୟରେ ସବୁ ପରିସ୍ଥିତିରେ ପ୍ରେମ, ପ୍ରୀତି ଓ ସାଇତା ଅନୁଭୂତିକୁ ନେଇ ବଞ୍ଚନ୍ତି । ସେମିତି ଜଣେ ଅନୁଭବି ଯୋଡି ହେଉଛନ୍ତି ରାଜଧାନୀର ସୂର୍ଯ୍ୟକାନ୍ତି ଓ ନନ୍ଦନ ।
ମଥାରେ ଦେଲି ସିନ୍ଦୂର , ହୋମନିଆଁକୁ ସାକ୍ଷୀ ରଖି ସାତ ଜନମ ସାଥିରେ ରହିବା ପାଇଁ ଦେଲି ମୁଁ ପ୍ରତିଶୃତି । ଠିକ ପଚାଷ ବର୍ଷ ତଳେ ଆଜିର ଦିନରେ ଏଭଳି ପ୍ରତିଶ୍ରୁତି ଦେଇଥିଲେ ନନ୍ଦନ । ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୂର୍ୟ୍ୟକାନ୍ତି ଓ ନନ୍ଦନ । ଆଉ ଏହାରି ଭିତରେ ବିତିଗଲାଣି ୫ ଦଶନ୍ଧି, ଏକ ଦୀର୍ଘ ବ୍ୟବଧାନ । ସମୟ ସିନା ଗଡିଚାଲିଛି ହେଲେ କମି ନାହିଁ ପ୍ରେମ ।
୫୦ ବର୍ଷ ତଳର ସେହି ମୁହୂର୍ତ୍ତକୁ ପୁଣି ଥରେ ମନେ ପକାଇଦେବା ପାଇଁ ଆଜି ପରିବାର ଲୋକେ ଓ ବନ୍ଧୁ ପରିଜନ ହୋଇଥିଲେ ଏକାଠି । ଜମିଥିଲା ବିବାହର ମାହୋଲ । ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧାଇଲା ପରେ ଉଭୟ ଉଭୟଙ୍କୁ ପିନ୍ଧାଇଲେ ଫୁଲମାଳ । ବିବାହ ଦିନର ସମୟକୁ ମନେ ପକାଇ ଭାବବିହ୍ବଳ ହୋଇପଡିଥିଲେ ସୂର୍ୟ୍ୟକାନ୍ତି । ଆଖିରୁ ଝରିପଡିଥିଲା ଲୁହ । ଆଉ ଏ ଲୁହ ଥିଲା ପ୍ରେମର ଲୁହ । ଯାହାକୁ ନିଜ ହାତରେ ପୋଛି ଦେଉଥିଲେ ତାଙ୍କ ଜୀବନସାଥୀ ନନ୍ଦନ । ୫୦ ବର୍ଷ ପରେ ଏମିତି ଏକ ମଞ୍ଚ, ଏମିତି ଏକ ମୁହୂର୍ତ୍ତ ତାଙ୍କୁ ବିବାହର ଦିନରୁ ମନେପକାଇବାକୁ ପୁଣି ଥରେ ସୁଯୋଗ ଦେବ ତାହା ଭାବି ଉଲ୍ଲସିତ ହେଉଥିଲେ ଦୁହେଁ ।
ଜୀବନର ଅନେକ କିଛି ଦେଖିସାରିଛନ୍ତି ଏହି ଦମ୍ପତି । ବ୍ରହ୍ମପୁରରେ ଘର ହେଲେ କର୍ମମୟ ଜୀବନ ବିତିଛି ରାଜଧାନୀରେ । ଗତ ୫୦ ବର୍ଷର ଯାତ୍ରାରେ କେବେ ହସ ତ କେବେ ଦୁଃଖରେ ବିତିଛି ସମୟ । କିନ୍ତୁ ଦୁଃଖକୁ ପିଇ ହସି ହସି ବିତିଛି ଜୀବନ । ବିବାହର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମନେ ପଡିଯାଇଛି ସେହି ପୁରୁଣା ଦିନର କଥା । ପୁରୁଣା ସ୍ମୃତିକୁ ସାଉଁଟିବା ପାଇଁ ସଭିଏଁ ଏକାଠି ହୋଇ ପାଳନ କରିଛନ୍ତି ବିବାହର ସୁବର୍ଣ୍ଣ ଜୟନ୍ତୀ । କେକ୍ ଆଉ ଛେନା ପୋଡ କାଟି ଉଭୟ ଉଭୟଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ନାତିନାତୁଣୀଙ୍କ ମେଳରେ ଏମିତି ସମୟ କାଟିବା ସମସ୍ତଙ୍କ ଭାଗ୍ୟରେ ନଥାଏ । ଥିଲାବାଲା ସିନା ହୋଲେଟରେ ପାର୍ଟି କରି ଦିନକୁ ପାଳନ୍ତି କିନ୍ତୁ ନଥିଲା ବାଲା ନିଜ ଭିତରେ ବି ପ୍ରେମର ମୁହୂର୍ତ୍ତ ପାଳନ୍ତି । ଲକ୍ଷ୍ୟ ଗୋଟିଏ ଥାଏ ପ୍ରେମର । ସତରେ ଆଜିର ଦିନରେ ପ୍ରେମ ଓ ଭଲପାଇବାକୁ ଯୁବପିଢି ଖେଳଘର ଭାବୁଥିବା ବେଳେ ଏ ଦମ୍ପତ୍ତିଙ୍କ ଏ ବୁଝାବଣା ଓ ବୟସ୍କ ପ୍ରେମ କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚିତ ।
Follow Us
/kanak/media/post_attachments/wp-content/uploads/2022/03/WhatsApp-Image-2022-03-27-at-6.49.18-PM-1024x683.jpeg)
/kanak/media/post_attachments/wp-content/uploads/2022/03/vlcsnap-2022-03-27-19h16m03s543.png)