ବୃଦ୍ଧ ବୟସରେ ଦୁଇ ପୁଅଙ୍କୁ ହରାଇଲେ, ଘର ଚଳାଇବା ପାଇଁ ଅଟୋ ଚଳାଇଲେ, ଆଉ ଶେଷରେ ନାତୁଣୀକୁ ପଢାଇବା ପାଇଁ ବିକ୍ରି କରିଦେଲେ ଘର । ଜଣେ ବୃଦ୍ଧ ଅଟୋ ଚାଳକଙ୍କ କାହାଣୀ ।

240

କନକ ବ୍ୟୁରୋ : ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ଦୁଃଖକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଜକେଇ ଆସୁଛି। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧା ଅଟୋ ଚାଳକ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧ ଅବସ୍ଥାରେ ବି କଠିନ ପରିଶ୍ରମ କରିବାକୁ ପଡ଼ୁଛି।

ଦେଶରାଜ ମୁମ୍ବାଇ ଖାର ନିକଟରେ ଅଟୋ ଚଲାଇ ଥାଆନ୍ତି। ଦେଶରାଜ କହନ୍ତି, ‘ମୋର ବଡ ପୁଅ କାମ ପାଇଁ ଯାଇଥିଲା ଯେ ଘରକୁ ଫେରି ନଥିଲା। କିଛିଦିନ ପରେ ତାର ମୃତଦେହ ମିଳିଥିଲା। ବଡ଼ପୁଅର ମୃତ୍ୟୁ ପରେ ମୋର ଜୀବନର ଗୋଟିଏ ଭାଗ ସେଇଠି ହିଁ ସମାପ୍ତ ହୋଇଯାଇଥିଲା।

ପରିବାର ଦାୟିତ୍ୱ ମୋ ଉପରେ ଥିବାରୁ ଘରେ ବସି ଆଖିରୁ ଲୁହ ଗଡେଇବା ପାଇଁ ସମୟ ନଥିଲା। ମନରେ କଷ୍ଟକୁ ଜାବୁଡ଼ି ଧରି ଅଟୋ ଚଲାଇବା ପାଇଁ ରାସ୍ତାକୁ ଓହ୍ଲାଇ ଥିଲି। ଏତିକିରେ ମୋର ଦୁଃଖ ସରି ନଥିଲା । ବଡ଼ ପୁଅର ମୃତ୍ୟୁର ଦୁଇ ବର୍ଷ ପରେ ମୋର ସାନ ପୁଅ ବି ଆତ୍ମହତ୍ୟା କରିଥିଲା। ଦୁଇ ପୁଅଙ୍କୁ ହରାଇବା ପରେ ବୋହୂ ସହିତ ୪ଜଣ ପିଲାଙ୍କ ଭାର ମୋ ଉପ‌ରେ ପଡ଼ିଥିଲା। କାମ କରିକରି ଶରୀର ଥକି ପଡ଼ୁଥିବା ସତ୍ତେ୍ୱ ସେମାନଙ୍କ ପେଟକୁ ଦିମୁଠା ଦାନା ଦେବା ପାଇଁ ମୋତେ ଏବେ ଅଟୋ ଚଲାଇବାକୁ ପଡ଼ୁଛି। ଅର୍ଥ ଅଭାବରୁ ନାତୁଣୀ ନବମ ଶ୍ରେଣୀରେ ପଢ଼ୁଥିବା ବେ‌ଳେ ପାଠପଢ଼ା ଛାଡ଼ି ଦେଇଥିଲା। କିନ୍ତୁ ମୁଁ ତାକୁ ପାଠପଢ଼ା ଜାରି ରଖିବାକୁ କହିଥିଲି। ଯେତେ ଇଚ୍ଛା ସେତେ ପଢ଼ିବାକୁ ଆଶ୍ୱାସନା ଦେଇଥିଲି।

ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦୀର୍ଘ ଘଣ୍ଟା କାମ କରିବାକୁ ପଡ଼ିଥାଏ। ସକାଳ ୬ଟାରୁ କାମରେ ଯାଇଥାଏ ଯେ ଘରକୁ ଫେରିଲା ବେଳକୁ ରାତି ହୁଏ। ମାସକୁ ୧୦ହଜାର ଟଙ୍କା ରୋଜଗାର ହୋଇପାରିଥାଏ। ଏଥିମଧ୍ୟରୁ ନାତିନାତୁଣୀଙ୍କ ପାଠପଢ଼ା ପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଥାଏ। ବାକି ୪ ହଜାରରେ ଟଙ୍କାରେ ୭ଜଣ ଲୋକ ଚଳି ଥାଉ।

ଯେତେବେଳେ ମୋର ନାତୁଣୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ହାସଲ କରିଥିଲା ମୁଁ ବହୁତ ଖୁସି ହୋଇଯାଇଥିଲି। ସେଦିନ ମୁଁ ମାଗଣାରେ ଯାତ୍ରୀଙ୍କୁ ଅଟୋ ସେବା‌ ଯୋଗାଇ ଥି‌ଲି। ନାତୁଣୀ ବିଇଡି ପାଠପଢ଼ା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିଲା। ଏଥିପାଇଁ ମୋ ପାଖରେ ଟଙ୍କା ନଥିବାରୁ ମୁଁ ଘର ବିକିବାକୁ ବାଧ୍ୟ ହୋଇ ନାତୁଣୀର ଫିସ ଭରିଥିଲି। ଘର ବିକ୍ରି କରିବା ପରେ ପତ୍ନୀ, ପୁତ୍ରବଧୂ ଏବଂ ନାତୁଣୀଙ୍କୁ ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲି।

ଏମିତି ଏକ ବର୍ଷ ବିତିଗଲାଣି । ମୁଁ ମୋ ଅଟୋରେ ଖାଇଥାଏ ଓ ଶୋଇଥାଏ। ଦିନବେଳା ଯାତ୍ରୀଙ୍କୁ ଅଟୋ ସେବା ଯୋଗାଇଥାଏ। ନାତୁଣୀ ଯେତେବେଳେ କହିଥାଏ ମୁଁ ପାଠପଢ଼ାରେ ପ୍ରଥମ ସ୍ଥାନ ଅଧିକାର କରିଛି ମୋର ସବୁକଷ୍ଟ ଦୂର ହୋଇଯାଇଥାଏ। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଦେଶରାଜଙ୍କ ଏହି ସଂଘର୍ଷମୟ କାହାଣୀ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାଙ୍କ ପାଖକୁ ଅନେକଙ୍କ ସାହାଯ୍ୟର ସୁଅ ଛୁଟି ଆସୁଛି। ଗୁଞ୍ଜନ ରତି ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦେଶରାଜଙ୍କ ପାଇଁ ଏକ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ୨୭୬ଜଣ ଦାତାଙ୍କଠାରୁ ୫.୩ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ କରିପାରିଛନ୍ତି।