କନକ ବ୍ୟୁରୋ : ଭତ୍ତା ପାଇ ଗହଳି । ମାସ ପୁରିଲେ ପଂଚାୟତ ହେଉକି ସ୍କୁଲ ଗୃହ ଭତ୍ତା ନେବା ପାଇଁ ଲମ୍ବା ଧାଡ଼ି ଲାଗୁଛି । ୫୦୦ ଟଙ୍କା ପାଇବା ପାଇଁ ସକାଳୁ ସଂଧ୍ୟା ହୋଇଯାଏ । ଏହି ଭତ୍ତାକୁ ନେବା ପାଇଁ ୨୦୦ ଟଙ୍କା ଅଟୋ ଭଡ଼ା ଦେଇ ଆସୁଛନ୍ତି ଲୋକେ । ଯଦି ଗୋଟିଏ ମାସ ଯିବାରେ ଅସୁବିଧା ହେଉଛି ତାପର ମାସରେ ଆଉ ସେହି ଟଙ୍କା ମିଳୁନାହିଁ ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି । ବାରମ୍ବାର ଏଭଳି ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶତାଧିକ ମହିଳା ଜୟପୁର ଉପଜିଲ୍ଳାପାଳକୁ ଦେଇଛନ୍ତି ଲିଖିତ ଅଭିଯୋଗ । ମାସକୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଅଣ୍ଟୁ ନଥିବା କହିଛନ୍ତି ।
ଏହାକୁ ନେଇ ଯୁବ ସଂଗଠନ ମଧ୍ୟ ସ୍ୱର ଉଠାଇଛି । ରାଜ୍ୟ ସରକାର ଭତ୍ତା ଦେବାରେ ପାତର ଅନ୍ତର କରୁଛନ୍ତି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ମାସିକ ଭତା ୨୨ଶହ ୫୦ଟଙ୍କା, ତେଲେଙ୍ଗାନାରେ ୨ ହଜାର ଟଙ୍କା, ପଞ୍ଜାବରେ ୧୫୦୦ ଟଙ୍କା ଓ ସିକିମ୍ ଭଳି ଛୋଟିଆ ରାଜ୍ୟରେ ୨୦୦୦ ଟଙ୍କା ମିଳୁଥିବା ବେଳେ ଆମ ରାଜ୍ୟରେ ମାତ୍ର ୫୦୦ ଟଙ୍କା ମିଳୁଛି । ସେହିପରି ପୌରପାଳିକା ଦ୍ୱାରା ଏହି ବୟସ୍କଙ୍କ ପାଇଁ ଯୋଗ୍ୟତା ପ୍ରମାଣ ପତ୍ର ଦିଆଯାଉଛି । କିନ୍ତୁ ସେମାନଙ୍କୁ ମିଳୁନାହିଁ କୌଣସି ସ୍ଥାୟୀ ବାସ ସ୍ଥାନ । ତେବେ ପୌର ପାଳିକା ଅଧିକାରୀ କହିଛନ୍ତି ଯାହା ଅଭିଯୋଗ ଆସୁଛି ଆମେ ସରକାରଙ୍କ ନିକଟକୁ ପଠାଇଦେଉଛୁ । ଭତ୍ତା ବଢ଼ାଇବା ଆମ ହାତରେ ନାହିଁ । ଯାହାର ଭତ୍ତା ରହି ଯାଉଛି ଆମ ସହ ଯୋଗା ଯୋଗ କଲେ ସେ ପାଇଯିବେ ।
ଭତ୍ତା ବୃଦ୍ଧିକୁ ନେଇ ଆରମ୍ଭ ହୋଇଥିବା ବୃଦ୍ଧା ମହିଳାଙ୍କ ଏହି ଅଭିଯାନ ଆଗାମୀ ନିର୍ବାଚନରେ ରାଜନିତି ଦଳ ପାଇଁ ପ୍ରମୁଖ ପ୍ରସଙ୍ଗ ହୋଇପାରିବ ।