ଗୁହାଳ ଘରେ ୫୦ ବର୍ଷ ଧରି ବୃଦ୍ଧ ଦମ୍ପତ୍ତି । ଘର ଖଣ୍ଡେ ପାଇଁ ଦୁଃଖ ଶୁଣୁନି ପ୍ରଶାସନ

113

କନକ ବ୍ୟୁରୋ: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୌରପୁର ପଞ୍ଚାୟତର ଇଚ୍ଛାପୁର ଗାଁର ଏଇ ନୂଆଣିଆ ଭଙ୍ଗା କୁଡିଆରେ ରୁହନ୍ତି ବୃଦ୍ଧ ଦମ୍ପତ୍ତି । ତାଙ୍କର ଏହି ଘରକୁ ଟିକେ ଭଲ କରି ଦେଖିଲେ । ଆପଣଙ୍କୁ କ’ଣ ଭଳି ଲାଗୁଛି । ଇଏ ଘର ନୁହେଁ ଗୋରୁ ଗୁହାଳ । ଯେଉଁଠି ଏଇ ଦୁଇ ବୟସ୍କ ମଣିଷ ଗତ ୫୦ ବର୍ଷ ହେଲାଣି ଅତି କଷ୍ଟରେ ଦିନ କାଟୁଛନ୍ତି ।

୭୦ ବର୍ଷର ନିରଞ୍ଜନ ଜେନାଙ୍କୁ ୬୫ ବର୍ଷର ଦୁଃଖିନୀ ଜେନା, ପିଲାପିଲି କେହି ନାହାଁନ୍ତି । ଜମି ବୋଲି ଗୁଣ୍ଠେ ନାହିଁ । ଘର ଡିହ ଖଣ୍ଡେ ବି ନାହିଁ । ଦୀର୍ଘ ୫୦, ୬୦ ବର୍ଷ ହେଲା ଏଇ ଅନାବାଦୀ ଜାଗାରେ କୁଡିଆଟିଏ କରି ରହିଥିଲେ । ୟା ଭିତରେ କେତେ ବାତ୍ୟା ବନ୍ୟା ଗଲାଣି । କୁଡିଆଟିର ଆଉ ଅବସ୍ଥା ନାହିଁ । ଛପର କରିବାକୁ ସକ୍ଷମ ନାହିଁ ଯେ, ଗାଁ ଲୋକଙ୍କ ଠାରୁ ମାଗିଯାଚି ପଲିଥିନ ଖଣ୍ଡେ ପକାଇଛନ୍ତି । ୟା ଭିତରେ ଗାଈଗୋରୁ , ୟାରି ଭିତରେ ମଣିଷ । ସବୁ ଏକାଠି । ଗୋରୁଙ୍କ ଗୋବର ମୂତ ଗନ୍ଧରେ ନାକ ଫାଟିଯାଉଛି । ତା ସାଙ୍ଗକୁ ମଶା, ଡାଆଁଶ । ହେଲେ କରିବେ ବା କ’ଣ । ଥରକୁ ଥର ପ୍ରଶାସନ ପାଖକୁ ଯାଇ ଯାଇ ଥକିଲେଣି । ଗାଁ ଲୋକେ ବି ତାଙ୍କ କଥା ନେଇ ଜିଲ୍ଲା ପ୍ରଶାସନ ପାଖରେ ପକାଇଲେଣି ହେଲେ ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ଦେବାକୁ ନାରାଜ ପ୍ରଶାସନ ।

ପ୍ରଶାସନ ପାଖକୁ ଗଲେ ଅଧିକାରୀ କହୁଛନ୍ତି ତାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡିଦେବାକୁ । ହେଲେ ଯେଉଁ ଜାଗାର ପାଣି ପବନରେ ୬୦ ବର୍ଷ ବିତିଲାଣିତାକୁ ଛାଡି ବୃଦ୍ଧାଶ୍ରମକୁ ଯିବେ କେମିତି । ତା ଛଡା ଦୁଇ ଗାଈ ଗୋରୁ, ଯାହାକୁ ସେ ନିଜ ପିଲା ଭଳି ପଳିଛନ୍ତି ତାଙ୍କୁ କେମିତି ଛାଡି ବଞ୍ଚିବେ । ତେଣୁ କେହି ଗୁହାରୀ ନଶୁଣିଲେ ଏଇ କୁଡିଆରେ ପଛେ ମରିବେ ହେଲେ ଏ ଜାଗା ଛାଡି ବୃଦ୍ଧାଶ୍ରମ ଯିବେ ନାହିଁ ବୋଲି କହିଛନ୍ତି ବୃଦ୍ଧା ଦୁଃଖିନୀ ଜେନା ।

ସରକାର ଘରକୁ ଘର ଯାଇ ଲୋକଙ୍କ ଦୁଃଖ ବୁଝୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । କିନ୍ତୁ ଏହା କେତେ ସତ ତାହା ଏହି ଦୁଇ ବୃଦ୍ଧ ଦମ୍ପତ୍ତିଙ୍କ ଅବସ୍ଥା ଦେଖିଲେ ସ୍ପଷ୍ଟ ଜଣାପଡୁଛି ।