ବୟସର ଅପରାହ୍ଣରେ ବଣ୍ଡା ବୃଦ୍ଧାଙ୍କୁ ମିଳୁନି ଭତ୍ତା: ଆଧାର କାର୍ଡ ନଥିବାରୁ ୫ ବର୍ଷ ହେବ ଭତ୍ତା ଟଙ୍କା ବନ୍ଦ କରିଛି ପ୍ରଶାସନ

119

କନକ ବ୍ୟୁରୋ: ପାହାଡ ଇଲାକାରେ ଜୁଲୁମ୍ । ୫ ବର୍ଷ ହେବ ଆଧାର ନାହିଁ ବୋଲି ଭତା କାଟିଦେଲେ ବାବୁ । ଆଉ ମିଳୁନି ଚଳଣି ପାଇଁ ସହାୟ ହେଉଥିବା ଭତା ଅର୍ଥ । ହାତଗୋଡ ଚାଲୁନି, ଠିଆ ହୋଇ ଚାଲିବା ବି ମୁସ୍କିଲ । ଏହାରି ଭିତରେ ବଣ୍ଡାଘାଟିରୁ ବାହାରି ଖଇରପୁଟ ଯିବା ବଣ୍ଡା ବୁଢି ମାଆ ପାଇଁ ସ୍ୱପ୍ନ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ବିକାଶର ଆଉ ଏକ ଦିଗ ସାମ୍ନାକୁ ଆସିଛି । ଅସହାୟ ଓ ନିରୀହ ବଣ୍ଡା ମଣିଷ ପାଇଁ କଠୋର ହୋଇପଡିଛି ପ୍ରଶାସନ ।

ପରିଣତ ବୟସରେ ହାତକୁ ଆସୁଥିବା ବାର୍ଧକ୍ୟ ଭତା ଲେଉଟି ଯାଇଛି । ଆଧାର ନଥିବାରୁ ଭତା ପାଇବାରୁ ବଂଚିତ ବଣ୍ଡା ବୁଢି ମାଉସୀ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ଆସିଛି ବଣ୍ଡା ବୁଢି ମାଉସୀଙ୍କ ଆଧାର କାହାଣୀ ।

ମୁଦୁଲିପଡା ପଂଚାୟତର ବଣ୍ଡାପଡା ଗାଁର ଅସହାୟ ବଣ୍ଡା ବୃଦ୍ଧା ଆଦିବାରୀ ମୁଦୁଲି । ୭୫ ବର୍ଷିୟା ଏଇ ବୁଢିମାଆ ଚାଲିବା ପାଇଁ ପାଦରେ ବଳ ନାହିଁ । ଜୀବନର ଶେଷ ପାହାଚରେ ଆଧାର ନଥିବାରୁ ଭତା ଗଣ୍ଡାଏ ମିଳୁନି । ୫ ବର୍ଷ ହେଲା ଭତା ଟଙ୍କା ବନ୍ଦ କରି ଦେଇଛି ପ୍ରଶାସନ ।

୧୦ ବର୍ଷ ପୂର୍ବରୁ ଆଦିବାରୀ ମାଉସୀଙ୍କୁ ଭତା ଯୋଗାଇଥିଲା ପ୍ରଶାସନ । କିନ୍ତୁ ପରେ କାହିଁକି ଭତା ବନ୍ଦ କରାଗଲା । ସରକାରୀ ଅର୍ଥ ବଣ୍ଡା ହିତାଧିକାରୀଙ୍କ ପାଖରେ ପହଂଚାଇବା ବଦଳରେ କାଗଜପତ୍ରରେ ବୁଢି ମାଉସୀଙ୍କ ନାଁ ବାଦ ପଡିଲା କେମିତି? ଯଦି ଆଧାର ବାଧ୍ୟତାମୂଳକ, ପ୍ରଶାସନ ପକ୍ଷରୁ ତାଙ୍କ ଆଧାର କାର୍ଡ କରାଗଲା ନାହିଁ କାହିଁକି? ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି । ତେବେ ତୁରନ୍ତ ବୁଢି ମାଉସୀ ଆଦିବାରୀ ମୁଦୁଲିଙ୍କୁ ଭତା ଯୋଗାଇ ଦିଆଯିବ ବୋଲି ଖଇରପୁଟ ବିଡିଓ କହିଛନ୍ତି ।

ଅସହାୟତାକୁ ନେଇ କଠୋର ପଂଚାୟତ । ସ୍ୱର ଉଠାଉନଥିବାରୁ ବଣ୍ଡା ଅଂଚଳର ଅନେକଙ୍କ ଭତାକୁ କାଟି ଦେଉଛନ୍ତି ଅଧିକାରୀ । ଜିଲାପାଳଙ୍କ କଡା ନିର୍ଦ୍ଧେଶ ଥିଲେ ମଧ୍ୟ ବାର୍ଧକ୍ୟ ଭତା ଅର୍ଥକୁ ବନ୍ଦ କରି ଦେଉଛନ୍ତି ବିଭାଗୀୟ ବାବୁ । ପାହାଡି ମଣିଷଙ୍କ ଲାଗି ବଣ୍ଡାଘାଟିରେ ଜୁଲୁମ ବଢୁଥିବା ନେଇ ଅଭିଯୋଗ ଉଠିଛି ।