ବ୍ୟବସାୟିକ ପଞ୍ଜୀକରଣ ନଥାଇ ବାଇକ୍ ସେବା ଯୋଗାଉଛନ୍ତି ଓଲା, ଉବେର ଓ ରାପିଡୋ । ଭୁବନେଶ୍ୱର ସହିଦଗନର ଥାନାରେ ମାମଲା ରୁଜୁ କଲା ଆରଟିଓ

124

କନକ ବ୍ୟୁରୋ: ଓଲା, ଉବେର ଓ ରାପିଡ଼ୋ ବିରୁଦ୍ଧରେ ଥାନାରେ ଏତଲା । ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଏତଲା କରାଯାଇଛି । ଘରୋଇ ବା ବ୍ୟକ୍ତିଗତ ଦୁଇ ଚକିଆ ଗାଡ଼ିକୁ ବ୍ୟବୟାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଆରଟିଓ-୧ । ଯାତ୍ରୀ ପରିବହନ ପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ ନଥାଇ, ବ୍ୟବସାୟ କରୁଥିବାରୁ ଆପତି ଉଠାଇଥିଲା ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ ।

  • ନିୟମର ଖିଲାପ୍ କରୁଛି ଓଲା, ଉବେର, ରାପିଡ଼ୋ
  • ଥାନାରେ ଏତଲା ଦେଲା ଭୁବନେଶ୍ୱର ଆରଟିଓ
  • ରାସ୍ତାକୁ ଓହ୍ଲାଇଲା ଅନ୍ଲାଇନ୍ ଅଟୋ ସଂଘ

ଶସ୍ତା ଓ ସୁବିଧାରେ ସହଜରେ ମିଳିିଯାଉଥିବା ଅନଲାଇନ୍ ବାଇକ୍ ପରିବହନ ସେବା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସଂଘ । ସଂଘର ଅଭିଯୋଗ ହେଉଛି, ଅନଲାଇନ୍ ବାଇକ୍ ସେବା ଯୋଗାଇ ଦେଉଥିବା ଓଲା, ଉବେର, ରାପିଡ଼ୋ ଭଳି ସଂସ୍ଥା ବେଆଇନ୍ ଭାବେ ଗାଡ଼ି ଚଳାଉଛନ୍ତି । ଘରୋଇ ତଥା ବ୍ୟକ୍ତିଗତ ବ୍ୟବହାର ପାଇଁ ଥିବା ବାଇକକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଯାତ୍ରୀ ପରିବହନରେ ନିୟୋଜିତ କରାଯାଉଛି । ଏମିତି କି ଏଥିପାଇଁ ସେମାନଙ୍କ ପାଖରେ ବିଧିବଦ୍ଧ ଲାଇସେନ୍ସ ନଥିବା ଅନଲାଇ୍ନ ଅଟୋ ସଂଘ ଅଭିଯୋଗ କରିଛି ।

ଏପଟେ ଓଲା, ଉବେର ଏବଂ ରାପିଡୋ ନାଁରେ ଥାନାରେ ଏତଲା ଦେଇଛି ଭୁବନେଶ୍ୱର ଆରଟିଓ-୧ । ପୂର୍ବରୁ ଏକାଧିକ ଥର ଆଇଟିଓ ପକ୍ଷରୁ ନୋଟିସ୍ କରାଯାଇଥିଲା । ହେଲେ ଏହି ଅନଲାଇନ୍ ବାଇକ୍ ସେବା ପ୍ରଦାନକାରୀ ସଂସ୍ଥା କୌଣସି ଗୁରୁତ୍ୱ ଦେଇନଥିଲେ । ବ୍ୟକ୍ତିଗତ ବାଇକକୁ ଯାତ୍ରୀ ପରିବହନ ଉଦ୍ଦେଶ୍ୟରେ ଲଗାଇବା ପାଇଁ ହେଲେ ସ୍ୱତନ୍ତ୍ର ଲାଇସେନ୍ସ ଆବଶ୍ୟକ ପଡ଼େ । ନିର୍ଦ୍ଦିଷ୍ଟ ଲାଇସେନ୍ସ କରି ଜଣେ ନିଜ ଗାଡ଼ିକୁ ଓଲା, ଉବର ଏବଂ ରାପିଡୋରେ ବ୍ୟବହାର କରିପାରିବେ । କିନ୍ତୁ ତାହା ନକରି ବ୍ୟକ୍ତିଗତ ବାଇକକୁ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରୁଛନ୍ତି ।

ତେବେ ଏନେଇ ଆମ ରାପିଡୋର ଆଞ୍ଚଳିକ ଅପରେସନ୍ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କର କହିବା କଥା ହେଲା, ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁସାରେ ଆମେ ଗାଡ଼ି ଚଳାଉଛୁ । ଏବେ ଆମ ବିରୋଧରେ ଆରଟିଓ ଥାନାରେ ଅଭିଯୋଗ କରିଥିବାରୁ ଏହି ଅଭିଯୋଗକୁ ଆମେ ଆଇନ ପରାମର୍ଶ ଟିମକୁ ପଠାଇ ଦେଇଛୁ । ତାଙ୍କ ନିଷ୍ପତ୍ତି ଉପରେ ପରବର୍ତୀ ପଦକ୍ଷେପ ନିଆଯିବ ।

ତେବେ ବଡ଼ କଥା ହେଉଛି ବେଆଇନ୍ ଭାବେ ଅନଲାଇନ୍ ବାଇକ୍ ଚଳାଉଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଅଭିବନ ଉପାୟ ଗ୍ରହଣ କରିଛି ପରିବହନ ବିଭାଗ ।

  • ବେଆଇନ ଚାଳକଙ୍କୁ ଧରିବା ପାଇଁ ପ୍ରଥମେ ସଂପୃକ୍ତ ଆପରେ ବୁକିଂ କରାଯାଉଛି
  • ବୁକିଂ ଗ୍ରହଣ କରି ଯାତ୍ରୀଙ୍କ ପାଖକୁ ଚାଳକ ଆସିବା ପରେ ତାଙ୍କର କାଗଜପତ୍ର ଯାଞ୍ଚ କରାଯାଉଛି
  • ଯଦି ଯାତ୍ରୀ ପରିବହନର ଅନୁମତି ନଥିବ, ବେଆଇନ ବାଇକ୍ ଚାଳକଙ୍କୁ କାବୁ କରୁଛି ଆରଟିଓ