ପ୍ରକାଶ ପାଇଲା OJEE ପରୀକ୍ଷା ଫଳ, ୨୩ଟି ବିଭାଗରେ ଆସିଲା ଟପ୍ପରଙ୍କ ତାଲିକା

1,386

କନକ ବ୍ୟୁରୋ: ପ୍ରକାଶ ପାଇଛି ଓଡି଼ଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ବା ଓଜେଇଇ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଫଳାଫଳ ଘୋଷଣା କରିବା ସହ ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଓଜେଇଇ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ୪୮ ହଜାର ୮୧୫ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୮ ହଜାର ୭୮୩ ଜଣ ର୍ୟାଙ୍କ ପାଇଛନ୍ତି ।

୨୩ ଟି ବିଭାଗରେ ଟପ୍ପରଙ୍କ ତାଲିକା ଘୋଷଣା କରାଯାଇଛି । ଚଳିତବର୍ଷ ବି-ଫାର୍ମ ପାଠ୍ୟକ୍ରମରେ ସୌରଭ କୁମାର ପତି ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଏମବିଏ ପାଠ୍ୟକ୍ରମରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ସୁନ୍ଦର ନାୟକ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ସୌରଭ ପତି । ସଫଳତା ପାଇଁ କୋଚିଂ ସେଂଟର ସହିତ ସେଲ୍ଫ ଷ୍ଟଡିକୁ ଗୁରୁତ୍ୱ ଦେଇଥିବା କହିଛନ୍ତି ଏମବିଏ ଟପ୍ପର ।

ବି-ଫାର୍ମା ଲାଟେରାଲ ଏଂଟ୍ରିରେ ଶୀର୍ଷରେ ରହିଛନ୍ତି ସାଲେପୁରର ଶୁଭଶ୍ରୀ ମହାନ୍ତି । ଓଜେଇଇ ପ୍ରବେଶିକା ପରୀକ୍ଷାରେ ର୍ୟାଙ୍କ-୧ ରଖିବାରେ ସମର୍ଥ ହୋଇଥିବାରୁ ପରିବାର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ସୁଭଶ୍ରୀ । ସଫଳତା ପାଇବା ପରେ ଭବବାନଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ବୈଜ୍ଞାନିକ ହେବାକୁ ଇଚ୍ଛା କରିଛନ୍ତି ।

ଗତ ମେ ମାସ ୮ ରୁ ୧୫ ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଏମବିଏ, ଏମସିଏ, ବି ଫାର୍ମା ପରି ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା । ଜୁନ୍ ୨୬ରୁ ୩୦ ତାରିଖ ଯାଏଁ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ ।