କୃଷକ ମାନଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ଏବେ ଚାଷୀମାନଙ୍କୁ ମାଗଣାରେ ମିଳିବ ତୈଳ ଜାତୀୟ ଫସଲ ପାଇଁ ବିହନ । ଜାଣନ୍ତୁ କେମିତି ପାଇବେ ଆପଣ

943

କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ସହିତ ଖାଇବା ତେଲର ଦାମ ଏବେ ଆକାଶ ଛୁଆଁ ହୋଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ସହାୟତା ଦେବା ଲକ୍ଷରେ ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଚାଷୀଭାଇ ମାନଙ୍କୁ ତୈଳ ଜାତୀୟ ଫସଲର ବିହନ ମାଗଣାରେ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଆଶା କରିଛନ୍ତି କି ମାଗଣରେ ବିହନ ଯୋଗାଇ ଦିଆଗଲେ ଅଧିକ ଚାଷୀ ତୈଳବୀଜ ଫସଲ ଚାଷ କରିବେ । ଫଳରେ ଉତ୍ପାଦନ ବଢିଲେ ତେଲର ଦାମ କରିବ ବୋଲି ଆଶା କରାଯାଇଛି ।

ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ସୂଚନା ଦେଇ କହିଛନ୍ତି କି, ଦେଶରେ ପାଖାପାଖି ଏକ ତୃତୀୟାଂସ ଜିଲ୍ଲାରେ ଜୁଲାଇ ମାସରୁ ଖରିଫ୍ ଚାଷ ଆରମ୍ଭ ହେବ । ଏହି ସମୟରେ ତୈଳଜାତୀୟ ଫସଲ ପାଇଁ ମାଗଣାରେ ଉଚ୍ଚ ଗୁଣବତ୍ତା ବିହନ ଯୋଗାଇ ଦିଆଯିବ । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସରକାର ୮ ଲକ୍ଷ ସୋୟାବିନ ବିହନୀର ମିନି ପ୍ୟାକେଟ୍, ୭୪ ହଜାର ମୁଗଡାଲି ବିହନର ମିନି ପ୍ୟାକେଟ୍ ଯୋଗାଇଦେବେ ।

ସୂଚନା ଥାଉ କି, ଉପଭୋକ୍ତା ମାମଲା ମନ୍ତ୍ରଣାଳୟର ସୂଚନା ମୁତାବକ ଗୋଟିଏ ବର୍ଷରେ ଦେଶରେ ଖାଇବା ତେଲର ଦାମ ୬୦ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଗୋଟିଏ ଲିଟର ସୋରିଶ ତେଲର ଦାମ ୧୨୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ମେ ମାସ ସୁଦ୍ଧା ଏହାର ଦାମ ୧୭୦ ଟଙ୍କାରେ ପହଂଚିଛି । ଏହାସହ ସମସ୍ତ ପ୍ରକାର ଖାଇବା ତେଲର ଦାମ ବି ଅହେତୁକ ଭାବେ ବୃଦ୍ଧି ପାଇଛି ।

କହିରଖୁ କି ସରକାର ଚଳିତ ଜୁଲାଇ ମାସରୁ ଆରମ୍ଭ ହେବାକୁ ଯାଉଥିବା ଖରିଫ୍ ଚାଷରେ ୬.୩୭ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଫସଲ କରାଇବାକୁ ଯୋଜନା କରିଛନ୍ତି । ଏଥିରୁ ୧.୨ ଲକ୍ଷ କୁଇଣ୍ଟାଲ ତୈଳବୀଜ ଓ ୨୪.୩ ଲକ୍ଷ କୁଇଣ୍ଟାଲ ଖାଦ ତେଲ ଉତ୍ପାଦନ ହେବ ବୋଲି ଆଶା କରାଯାଇଛି ।

ଚାଷୀଭାଇମାନେ ସରକାରଙ୍କ ତରଫରୁ ମିଳିବାକୁ ଥିବା ମାଗଣା ତୈଳଜାତୀୟ ଫସଲର ବିହନ ଆପଣଙ୍କୁ ସ୍ଥାନୀୟ କୃଷି ସହାୟତା କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯିବ । ଆପଣ ଆପଣଙ୍କ ଆଧାରକାର୍ଡ ଓ ଚାଷ ହେବାକୁ ଥିବା ଜମିର କାଗଜପତ୍ର ଦେଖାଇ ସେଠାରୁ ପାଇପାରିିବେ ।