ପେଟ୍ରୋଲ ଦରଠାରୁ ଟିକସ ଅଧିକ: ମୂଳ ଦରର ୧୦୫% ଟିକସ ନେଉଛନ୍ତି ସରକାର

ପେଟ୍ରୋଲର ମୂଳ ଦର ୩୩ଟଙ୍କା ୯୧ ପଇସା ହୋଇଥିବାବେଳେ ବିକ୍ରି ହେଉଛି ୭୨ ଟଙ୍କା ୯୬ ପଇସାରେ

132

କନକ ବ୍ୟୁରୋ: ପେଟ୍ରୋଲ ଦରଠାରୁ ଅଧିକ ହୋଇଛି ଟିକସ ପରିମାଣ । ଚଳିତ ମାସ ୫ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ଏବଂ ସଡକ ଓ ଭିତିଭୂମି ସେସ୍ ବାବଦରେ ୨ଟଙ୍କା ବୃଦ୍ଧି କରିଛନ୍ତି । ଏହାର ପ୍ରଭାବ ତେଲ ଦର ଉପରେ ୬ତାରିଖରୁ ଦେଖିବାକୁ ମିଳିଛି । ପେଟ୍ରୋଲ ଦର ଲିଟର ପିଛା ୨ଟଙ୍କା ୫୦ ପଇସା ଏବଂ ଡିଜେଲ ଦର ୨ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଏଥିପାଇଁ ପେଟ୍ରୋଲ ଏବଂ ଡିଜେଲ ଦରର ଖୁଚୁରା ମୂଲ୍ୟ ଚଳିତବର୍ଷରେ ସର୍ବୋଚ୍ଚ ସ୍ତର ପାଖାପାଖି ପହଞ୍ଚି ଯାଇଛି ।

 

ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ପେଟ୍ରୋଲ ଡିଜେଲର ମୂଳଦର ଠାରୁ ଅଧିକ ହୋଇଛି ଟିକସ ପରିମାଣ । ଦିଲ୍ଲୀରେ ପେଟ୍ରୋଲ ଦର ୭୩ ଟଙ୍କା ଏବଂ ଡିଜେଲ ଦର ୬୬ ଟଙ୍କା ଟପିଛି । ଫଳରେ ପେଟ୍ରୋଲ ବାବଦରେ ଖାଉଟି ଯେତିକି ପଇସା ଗଣୁଛନ୍ତି ତାହାର ଅଧାରୁ ଅଧିକ କେନ୍ଦ୍ର ଏବଂ ରାଜ୍ୟ ସରକାର ଟିକସ ବାବଦରେ ନେଉଛନ୍ତି । ପେଟ୍ରୋଲର ମୂଲ ଦର ୩୩ଟଙ୍କା ୯୧ ପଇସା ହୋଇଥିବାବେଳେ ଲିଟର ପିଛା ୩୫ଟଙ୍କା ୫୦ ପଇସା ଟିକସ ଦେବାକୁ ପଡୁଛି । ଅର୍ଥାତ ଟିକସ ପରିମାଣ ମୂଳ ଦରର ୧୦୫ ପ୍ରତିଶତରେ ପହଞ୍ଚିଛି । ଏହି ଟିକସରେ ଉତ୍ପାଦନ ଶୁଳ୍କ ବାବଦରେ ଆଦାୟ କରାଯାଉଛି ୧୯ଟଙ୍କା ୯୮ ପଇସା । ଏବଂ ଅବଶିଷ୍ଟ ଟିକସ ରାଜ୍ୟ ସରକାର ଭାଟ୍ ଆକାରରେ ନେଉଛନ୍ତିି ।