ସାଧାରଣ ଲୋକଙ୍କୁ ଲାଗିବ ବଡ ଝଟକା । ପେଟ୍ରୋଲ ଡିଜେଲ ଉପରେ ବଢିପାରେ ୬ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି । ସିଧା ସଳଖ ଖାଉଟିଙ୍କ ଉପରେ ପଡିବ ପ୍ରଭାବ

377

କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଖୁବଶୀଘ୍ର ଏକ ବଡ ଝଟକ୍। ଲାଗିବାକୁ ଯାଉଛି । କେନ୍ଦ୍ରସରକାର ପୁଣିଥରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ବଢାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ମେ ମାସରେ ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା (ପ୍ରତି ଲିଟର) ବଢାଇବାକୁ ଘୋଷଣା କରିଥିଲେ । କହିରଖୁ କି ୨୦୧୪ ମସିହାରେ ପେଟ୍ରୋଲ ଉପରେ ମୋଟ ଟ୍ୟାକ୍ସ ୯.୪୮ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୩.୫୬ ଟଙ୍କା ପ୍ରତି ଲିଟର ରହିଥିଲା । ସେବେ ଠାରୁ ଆଜି ଯାଏ ଏହି ଟ୍ୟାକ୍ସ ବଢି ପେଟ୍ରୋଲ ଉପରେ ୩୨.୯୮ ଟଙ୍କା ଓ ଡିଜେଲ ଉପରେ ୩୧.୮୩ ଟଙ୍କା ପ୍ରତିଲିଟରରେ ପହଂଚି ସାରିଛି ।
ଏବେ ଜାଣିବା ପେଟ୍ରୋଲ ଉପରେ କେମିତି ହେଉଛି ଟ୍ୟାକ୍ସ ଓ କମିଶନର ହିସାବ –
ଅଶୌଧିତ ତୈଳ ମୂଲ୍ୟ ୨୫.୩୨ ଟଙ୍କା, ଭଡା ଓ ଖର୍ଚ୍ଚ ୦.୩୬ ଟଙ୍କା, ଏକ୍ସସାଇଜ ଡ୍ୟୁଟି ୩୨.୯୮ ଟଙ୍କା, ଡିଲର କମିଶନ ୩.୬୯ ଟଙ୍କା, ଭାଟ୍ ୧୮.୭୧ ଟଙ୍କା ।
ଏକ ଇଂଗ୍ରାଜୀ ଖବର କାଗଜ ରେ ମୁଦ୍ରିତ ହୋଇଥିବା ଖବର ମୁତାବକ କରୋନା କାଳରେ ଅର୍ଥ ବ୍ୟବସ୍ଥାରେ ହୋଇଥିବା କ୍ଷତିର ଭରଣା ପାଇଁ ସରକାର ତୃତୀୟ ରାହତ ପ୍ୟାକଜ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସରକାରଙ୍କୁ ବହୁ ଟଙ୍କାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂୁରଣ କରିବାକୁ ସରକାର ତୈଳ ଉପରେ ଏକ୍ସସାଇଜ୍ ଡ୍ୟୁଟି ବଢାଇବାକୁ ବିଚାର କରୁଛନ୍ତି ।
ସୂଚନା ମୁତାବକ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ୩ ରୁ ୬ ଟଙ୍କା ଯାଏ ଏକ୍ସସାଇଜ୍ ଡ୍ୟୁଟି ବଢାଇ ପାରନ୍ତି । ସେପଟେ ସରକାର ଚିନ୍ତା କରୁଛନ୍ତି କି ଏହି କର ବୃଦ୍ଧି ଫଳରେ ଯେଭଳି ପେଟ୍ରୋଲ ଓ ଡିଜେଲର ଦର ନ ବଢେ । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ତୈଳଦର କମୁଥିବାରୁ ସରକାର ଏହାର ସୁଯୋଗ ନେବାକୁ ଚିନ୍ତା କରୁଛନ୍ତି । ଯଦି ୧ ଟଙ୍କା ଏକ୍ସସାଇଜ ଡ୍ୟୁଟି ବଢେ ତେବେ ସରକାରଙ୍କୁ ୧୩ ରୁ ୧୪ ହଜାର କୋଟିର ଲାଭ ମିିଳିବ ।