ରାଜ୍ୟରେ ମହଙ୍ଗା ମାଡ଼ : ତେଲ ଦରଠୁ ଆରମ୍ଭ କରି ରୋଷେଇ ଗ୍ୟାସ ପରିବା ଦର ଆକାଶ ଛୁଆଁ

ପିଆଜ ଦାମ୍ ୫୦ଟଙ୍କା ଛୁଇଁଲା; କଲବଲ କରୁଛି ତେଲ ଦର

213

କନକ ବ୍ୟୁରୋ : ରାଜ୍ୟରେ ଏବେ ସବୁ ମହଙ୍ଗା ହେବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲଠାରୁ ଆରମ୍ଭ କରି ରୋଷେଇ ଗ୍ୟାସ, ପିଆଜ ଓ ପରିବା ଦର ହୁ ହୁ ହୋଇ ବଢି ଚାଲିଛି । କରୋନା ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଥିଲେ ବି ମହଙ୍ଗା ମାଡ କିନ୍ତୁ ନିୟନ୍ତ୍ରଣକୁ ଆସୁନାହିଁ । ମହଙ୍ଗାମାଡରେ କଲବଲ ହୋଇଛନ୍ତି ଲୋକେ ।

ସବୁଠାରୁ ବଡ କଥା ହେଲା, ପିଆଜ ଦର ବି ଗତ କିଛି ଦିନ ମଧ୍ୟରେ ପ୍ରାୟ ୨୦ ଟଙ୍କା ବଢି କିଲୋପ୍ରତି ୫୦ ଟଙ୍କାରେ ପହଂଚିଛି । ଅନ୍ୟ ପରିବାର ଦର ବି ଆକାଶଛୁଆଁ ରହିଛି । ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୯୨୬ ଟଙ୍କାରେ ପହଂଚିଛି । ସବୁଠାରୁ ବାଧିଛି ପେଟ୍ରୋଲ ଦର । ପେଟ୍ରୋଲ ଲିଟର ପିଚ୍ଛା ସ୍ଥଳ ବିଶେଷରେ ୧୦୮ ଟଙ୍କା ହୋଇଥିବାବେଳେ ଡିଜେଲ ବି ଶହେ ଟଙ୍କା ପାର କରିଛି । ଏବେ ଠାରୁ ଦର ନିୟନ୍ତ୍ରଣ ନ କଲେ ଆଗରୁ ଦର ହୁ ହୁ ହୋଇ ବଢିବା ସମ୍ଭାବନା ରହିଛି ।

ସ୍ଥିତି ଏପରି ହୋଇଛି ଯେ ହରଡ ଡାଲି ଦାମ୍‌ ୧୦୦ଟଙ୍କା ପାର୍‌ କରିଯାଇଛି । ମୁଗ ଡାଲି କେଜି ୯୬ଟଙ୍କା, ବୁଟ ଡାଲି ୭୧ଟଙ୍କା, ସୋରିଷ ତେଲ କେଜି ୧୯୧ ଟଙ୍କା, ପାମୋଲିନ୍ ତେଲ ୧୫୦ଟଙ୍କା, ସୂର୍ଯ୍ୟମୁଖୀ ତେଲ ୯୬ ଟଙ୍କା, ପେଟ୍ରୋଲ ଲିଟର୧୦୮ଟଙ୍କା, ଡିଜେଲ୍‌ ୧୦୦ ଟଙ୍କା, ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ପିଛା‌ ୯୨୬ଟଙ୍କାରେ ପହଞ୍ଚିଲାଣି । ଏପରିକି ପିଆଜ ଦାମ୍ ୫୦ଟଙ୍କା ଛୁଇଁଲାଣି । ହଠାତ୍ ଦୁଇ ଦିନରେ ପ୍ରାୟ ୨୦ଟଙ୍କା ବଢ଼ିଯାଇଛି । କେବଳ ଡାଲି, ତେଲ ନୁହେଁ । ତେଜରାତି ସାମଗ୍ରୀ ଦାମ୍ ବି ବଢ଼ିଯାଇଛି । ସୋରିଷରୁ ଆରମ୍ଭ କରି ସୁଜି, ବେସନ, ଲୁଣ ଆଦି ଦାମ୍ ବଢ଼ିଯାଇଛି ।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦାମ୍ ଅହେତୁକ ଭାବେ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦରଦାମ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ବାଇଁ ଖୋଲାଖୋଲି କହିଛନ୍ତି ଯେ ଦରଦାମ୍ ଆହୁରି ବଢ଼ିବ । କେନ୍ଦ୍ର ସରକାର କୋଭିଡ ଆଳରେ ସେସ୍‌ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି । ଲଗାମ ସେମାନଙ୍କ ହାତରେ । ସେମାନେ ବ୍ଲାକମେଲିଂ କରୁଛନ୍ତି । ଆଗକୁ ସ୍ଥିତି ଆହୁରି ଖରାପ ହେବ । ଚାଷ ସମେତ ସବୁ କ୍ଷେତ୍ରରେ ପ୍ରଭାବ ପଡୁଛି । ପଶ୍ଚିମବଙ୍ଗ ନିର୍ବାଚନର ୨୦ ଦିନ ଯାଏ ସବୁ ଠିକ ଥିଲା। ମତଦାନ ସରିବା ପରେ ସବୁ ଦାମ୍ ପୁଣି ବଢ଼ିଥିଲା ।

ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯା‌ୟୀ, ଚଳିତବର୍ଷ କେନ୍ଦ୍ର ସରକାରଙ୍କର ଟିକସ ତଥା ଆମଦାନୀ ଓ ରତ୍ପାନୀ ନୀତି ଏବଂ ବିଭିନ୍ନ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଖାଇବା ତେଲ ଓ ଡାଲି ଦାମ୍ ବଢ଼ିଛି । ଏହାବ୍ୟତୀତ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ବାହାର ରାଜ୍ୟରୁ ଆମଦାନୀ କରାଯାଉଥିବା ଡାଲି ଓ ଖାଇବା ତେଲର ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟିବାରୁ ଏହା ପରୋକ୍ଷରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବଢ଼ାଇ ଦେଇଛି। ପିଆଜ ଆମର ମୁଖ୍ୟତଃ ନାସିକରୁ ଆସିଥାଏ । ଏବେ ‌ସେଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଦାମ୍ ବଢ଼ିଛି। ତେବେ ଖୁବ୍‌ ଶୀଘ୍ର ଏହା ନିୟନ୍ତ୍ରଣକୁ ଆସିବ ।