ବିଶ୍ୱ ତୈଳ ବଜାରରେ ହଲଚଲ, ବଢିପାରେ ତେଲ ଦର । ତେଲ ପରିବହନ ବାଟ ବନ୍ଦ କରିବା ପାଇଁ ଇରାନର ଧମକ ପରେ ସଂଗୀନ ହେଉଛି ସ୍ଥିତି ।

358

କନକ ବ୍ୟୁରୋ : ଯୁଦ୍ଧ ଆଶଙ୍କା ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ କୁଦସ ଫୋର୍ସର କମାଣ୍ଡର କାସିମ ସୁଲେମାନିଙ୍କୁ ହତ୍ୟା ପରେ ସମର୍ଥନରେ ବାହାରିବାକୁ ଥିବା ଶୋଭାଯାତ୍ରା ପୂର୍ବରୁ ପୁଣି ବାଗଦାଦରେ ଆକାଶମାର୍ଗରୁ ଆକ୍ରମଣ କରିଛି ଆମେରିକା । ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ସେପଟେ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବିଶ୍ୱ ବଜାରରେ ତୈଳ ଦରକୁ ପ୍ରଭାବିତ କରିଛି । ସେହିପରି ସୁନା ଦର ମଧ୍ୟ ବଢିଛି । ଏବଂ ପ୍ରଭାବିତ ହୋଇଛି ଭାରତର ସେୟାର ବଜାର ।

ଇରାକର ବାଗଦାଦରେ ଇରାନୀ ସେନା ଉପରେ ପୁଣି ଥରେ ଆକ୍ରମଣ କରିଛି ଆମେରିକା । ଶୁକ୍ରବାର ଏୟାର ଷ୍ଟ୍ରାଇକ ପରେ ୱାସିଙ୍ଗଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ଶନିବାର ଇରାନୀ ସୈନିକଙ୍କୁ ଟାର୍ଗେଟ କରିଛି ଆମେରିକା ସେନା । ଇରାନ କୁଦସ ଫୋର୍ସର କମାଣ୍ଡର କାସିମ ସୁଲେମାନିଙ୍କ ହତ୍ୟା ପରେ ତାଙ୍କ ସମର୍ଥନରେ ବାହାରିବାକୁ ଥିବା ଶୋଭାଯାତ୍ରା ପୂର୍ବରୁ ଏଭଳି ପଦକ୍ଷେପ ନେଇଛି ଟ୍ରମ୍ପ ପ୍ରଶାସନ ।

ଆମେରିକାର ଦ୍ୱିତୀୟ ଦିନର ଆକ୍ରମଣରେ ଇରାନର ୬ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଶୁକ୍ରବାର ଆମେରିକା ପକ୍ଷରୁ ଆକାଶମାର୍ଗରୁ ହୋଇଥିବା ଆକ୍ରମଣରେ ଇରାନର ଶୀର୍ଷ ସାମରିକ ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଶୀର୍ଷରେ ପହଁଚିଛି ।

ଇରାନ, ଆମେରିକାର ଲଢ଼େଇ । ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି । ତେଲ ଦର ଦର ବୃଦ୍ଧି ନେଇ ବଢ଼ିଲା ଆଶଙ୍କା । ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । ଇରାନ ଓ ଆମେରିକାର ଏହି ତିକ୍ତତା ମଧ୍ୟ-ପ୍ରାଚ୍ୟ ସହ ସାରା ବିଶ୍ୱକୁ ଏହା ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି, ଇରାନ ପ୍ରତିଶୋଧ ପରାୟଣ ହୋଇ କିଛି ପଦକ୍ଷେପ ନେଲେ ଏହା ବିଶ୍ୱ ତୈଳ ବଜାର ଉପରେ ବଡ ଧରଣର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।

ଇରାନର ସମୁଦ୍ର ମଧ୍ୟରେ ଥିବା ଷ୍ଟ୍ରେଟ ଅଫ ହାର୍ମୁଜର ଅଣ ଓସାରିଆ ଜଳପଥ ଦେଇ ଅଧିକାଂଶ ତୈଳ ଜାହାଜ ଯିବା ଆସିବା କରିଥାଏ । ଏହି ପଥ ଦେଇ ସାରା ବିଶ୍ୱକୁ ପ୍ରତିଦିନ ପ୍ରାୟ ୧୫ ମିଲିୟନ ବ୍ୟାରେଲ ତୈଳ ରପ୍ତାନୀ କରିଥାନ୍ତି ସାଉଦି ଆରବ, ଇରାକ, ୟୁଏଇ, କ୍ୱେତ, କତାର ଓ ଇରାନ ଭଳି ଦେଶ । ଏହି ପଥକୁ ଇରାନ ବନ୍ଦ କରିଦେଲେ ବାହାରକୁ ଆସିପାରିବନି ଅଶୋଧିତ ତୈଳ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ନପାଇଲେ ଅଶୋଧିତ ତୈଳ ଦର ବଢ଼ିବା ସହ ପେଟ୍ରୋଲ, ଡିଜେଲ ଓ କିରୋସିନ ଭଳି ଅନ୍ୟାନ୍ୟ ପେଟ୍ରୋଲିୟମଜାତ ତୈଳ ପାଇଁ ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହେବ ।