ଦେଶରେ ଦେଖାଦେବ ଖାଇବା ତେଲ ସଂକଟ ! ବଜାରରେ ନିଆଁ ଲଗାଇବ ଖାଇବା ତେଲ

Advertisment
ଦେଶରେ ଦେଖାଦେବ ଖାଇବା ତେଲ ସଂକଟ ! ବଜାରରେ ନିଆଁ ଲଗାଇବ ଖାଇବା ତେଲ

କନକ ବ୍ୟୁରୋ : ଦେଶରେ ଗତ କିଛିଦିନ ହେବ ଖାଇବା ତେଲର ଦାମ୍ ଲଗାତାର୍ ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ, ଡିଜେଲ୍, ଗ୍ୟାସ୍ ପରେ ଖାଇବା ତେଲକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଥିବା ଆଉ ଏକ ଖବର ଚିନ୍ତାକୁ ଦୁଇଗୁଣା କରିଦେବ । ଏବେ ଖାଇବା ତେଲ ବଜାରରେ ସଂକଟ ସୃଷ୍ଟି ହେବାରୁ ଯାଉଛି । ଭାରତ ପ୍ରତିବର୍ଷ ବିଦେଶରୁ ଯେତିକି ଖାଇବା ତେଲ ଆମଦାନୀ କରେ, ତାମଧ୍ୟରେ ମୁଖ୍ୟ ଭାଗ ହେଉଛି ପାମ୍ ଅଏଲ । ମୁଖ୍ୟତଃ ଇଣ୍ଡୋନେସିଆ ଆମ ରାଷ୍ଟ୍ରକୁ ପାମ୍ ଅଏଲ ଯୋଗାଇଦିଏ । କିନ୍ତୁ ଇଣ୍ଡୋନେସିଆ ସରକାର ଚଳିତ ମାସ ୨୮ ତାରିଖରୁ ତାଙ୍କ ଦେଶରୁ ପାମ ଅଏଲ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି । ଯାହାର ପ୍ରଭାବ ଭାରତର ଖାଇବା ତେଲ ବଜାରରେ ନିଆଁ ଲଗାଇବାକୁ ଯାଉଛି ।
ସରକାରୀ ସୂତ୍ରରୁ ଜଣାଯାଇଛି ଯେ ପ୍ରତିବର୍ଷ ଭାରତ ବିଦେଶରୁ ପ୍ରାୟ ୧୩ରୁ ୧୩.୫ ନିୟୁତ ଟନ୍ ଖାଇବା ତେଲ ଆମଦାନୀ କରେ ।

ସେଥିମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବା ୮ରୁ ୮.୫ ନିୟୁତ ଟନ୍ ପାମ୍ ଅଏଲ ଇଣ୍ଡୋନେସିଆରୁ ଆମଦାନୀ କରାଯାଏ । ଅବଶିଷ୍ଟ ଆବଶାକତା ମାଲୟେସିଆ ପୂରଣ କରିଥାଏ । ତେବେ ବିଶ୍ୱର ସର୍ବବୃହତ ପାମ୍ ଅଏଲ୍ ଉତ୍ପାଦନକାରୀ ରାଷ୍ଟ୍ର ଇଣ୍ଡୋନେସିଆର ଘରୋଇ ବାଜାରରେ ପାମ୍ ଅଏଲ ଦରବୃଦ୍ଧି ଘଟୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଭଢିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ସରକାର ଏପ୍ରିଲ ୨୮ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ପାମ୍ ଅଏଲ ରପ୍ତାନି ଉପରେ କଟକଣା ଜାରି କରିଛନ୍ତି । କଟକଣା ଜାରି କରାଯିବା ପରେ ଭାରତ ତେଲ ବଜାରରେ ସଂକଟ ଦେଖାଯିବ ବୋଲି ସେଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ମହାନିର୍ଦ୍ଦେଶକ ଭି ମେହଟ୍ଟା କହିଛନ୍ତି । ସେ କହିଛନ୍ତି, ଏବଳି ସଂକଟକୁ ଦୁର କରିବା ପାଇଁ କୂଟନୈତିର ସ୍ତରରେ ତୁରନ୍ତ ପଦକ୍ଷେପ ନେବା ଉଚିତ୍ । ଇଣ୍ଡୋନେସିଆରୁ ପାମ୍ ଅଏଲ ରପ୍ତାନି ଉପରେ ନିଷେଧାଦେଶ ଜାରି ଦ୍ୱାରା କେବଳ ଭାରତ ନୁହେଁ, ଏହା ଉପରେ ନିର୍ଭର କରୁଥିବା ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ପ୍ରଭାବିତ ହେବେ ବୋଲି ମେହେଟ୍ଟା କହିଛନ୍ତି ।

ତେବେ ରୋଜଗାର ବଢୁନଥିବା ବେଳେ ଖାଇବା ତେଲର ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଜୋରଦାର ପ୍ରଭାବ ପକାଇବ ନିଶ୍ଚୟ । ତେଣୁ ଏନେଇ ସରକାର କୌଣସି ଠୋସ୍ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe