ତେଲ ଦରକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ସରିବା ପରେ କ୍ରମାଗତ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିକୁ ବିଜେଡ଼ିର ବିରୋଧ, ଟିକସ କମାଇବାକୁ କଂଗ୍ରେସର ପରାମର୍ଶ ।

147

କନକ ବ୍ୟୁରୋ : ନିର୍ବାଚନ ସରିଲା, ତେଲ ଦର ବଢିଲା । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଲ ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କ୍ରମାଗତ ତୈଲଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛି ବିଜେଡି । କରୋନାର ଘଡିସନ୍ଧି ସମୟରେ ପେଟ୍ରୋଲ, ଡିଜେଲ ଉପରେ ଅଧିକ ସେସ ଲଦି ଦିଆଯାଇଛି । ଏହି ଦର ବୃଦ୍ଧି ବେଡି ଉପରେ କରୋଡା ମାଡ ଭଳି ବୋଲି କହିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା । ଦୁର୍ଭାଗ୍ୟର କଥା ୫ ରାଜ୍ୟ ନିର୍ବାଚନ ଘୋଷଣା ହେଲା ବେଳେ  ଡିଜେଲ ପେଟ୍ରୋଲ ଦର ସ୍ଥିର ରହିଲା, ହେଲେ ଯେଉଁଦିନ ପଶ୍ଚିମବଙ୍ଗ ଭୋଟ ସରିଲା, ତା ପରଠାରୁ ଲଗାତାର ୪ ଥର ଦର ବୃଦ୍ଧି ହୋଇ ଖାଉଟି ଉପରେ ବୋଝ ଲଦି ଦିଆଯାଇଛି ।  ଅଛେ ଦିନ କହୁଥିବା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି।

ସେପଟେ କଂଗ୍ରେସ କହିଛି ଜବରଦସ୍ତ ଟିକସ ବଢାଇ ରାମ ମନ୍ଦିର, ସଂସଦ ତିଆରି କରୁଛନ୍ତି । ତେଣୁ କେନ୍ଦ୍ର ନିଜସ୍ୱ ଟିକସ କମାନ୍ତୁ ଓ ରାଜ୍ୟ ସରକାର ଭାଟ କମ କରନ୍ତୁ ବୋଲି କହିଛି କଂଗ୍ରେସ । ଅନ୍ୟପଟେ ରାଜ୍ୟ ବିଜେପି କହିଛି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ଉପର ତଳ ହେଉଛି । କରୋନା କାଳରେ ବିଜେଡି ଏପରି ରାଜନୀତି କରିବା ଘୃଣାର କଥା । କରୋନା ମୁକାବିଲା ସମୟରେ ନିଜ ସ୍ଥିତି ସୁଧାରୁ ନାହାନ୍ତି ରାଜ୍ୟ ସରକାର। ତେଣୁ ସମାଲୋଚନା ରାଜନୀତି ଆଗକୁ ନ ନେବା ଉଚିତ ।