କନକ ବ୍ୟୁରୋ: ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ରେକର୍ଡ ମାତ୍ରାର ହ୍ରାସ ଘଟିଛି । ଏମିତିକି ଆମେରିକାରେ ଗୋଟିଏ ବ୍ୟାରେଲ ପିଛା ଦର ଗୋଟିଏ ଡଲାରରୁ କମ୍ ମୂଲ୍ୟକୁ ଆସି ଯାଇଛି । କରୋନା ପାଇଁ ସାରା ବିଶ୍ୱ ତ୍ରାହି ତ୍ରାହି ଡାକୁଥିବା ବେଳେ ପ୍ରାୟ ସବୁ ଦେଶରେ ତାଲାବନ୍ଦ ଘୋଷଣା ହୋଇଛି । ଲୋକ ବାହାରକୁ ବାହାରୁ ନାହାନ୍ତି, ଗାଡ଼ିମୋଟର ଯିବା ଆସିବା ନାହିଁ, କଳକାରଖାନା ବନ୍ଦ ହୋଇଯାଇଛି । ଫଳରେ ତେଲର ଚାହିଦା ଏକଦମ୍ କମିଯାଇଛି ।
ଏପଟେ ତୈଳ ପାଇଁ ଚାହିଦା ଅତି ନିମ୍ନ ହୋଇଯାଇଥିବାରୁ ଏହାର ଦର ବି କମି କମି ଚାଲିଛି । ନିକଟରେ ସାଉଦି ଆରବ ଓ ରୁଷ୍ ମଧ୍ୟରେ ତୈଳ ଉତ୍ପାଦନ ନେଇ ଯେଉଁ ପ୍ରତିଯୋଗିତା ଦେଖାଦେଇଥିଲା ତା’ର ପ୍ରଭାବ ଏବେ ପଡ଼ୁଛି । ସେହି ସମୟରେ ସାଉଦି ଆରବ, ରୁଷ ଅତିମାତ୍ରାରେ ତୈଳ ଉତ୍ପାଦନ କରିଥିଲେ । ଆମେରିକୀୟ କମ୍ପାନୀ ମଧ୍ୟ ତୈଳ ଉତ୍ପାଦନ ବଢ଼ାଇଥିଲା । ହେଲେ ଏବେ ତେଲ ପାଇଁ ଚାହିଦା ନାହିଁ, ଯାହାଫଳରେ ତୈଳ କମ୍ପାନୀ ଓ ତୈଳ ରପ୍ତାନୀକାରୀ ଦେଶ ଚିନ୍ତାରେ ।
ଆମେରିକାରେ ତୈଳ କମ୍ପାନୀ ମାନେ ଏବେ ଅନିଶ୍ଚିତତା ଭିତରେ । ଏମିତି ଅବସ୍ଥା ହୋଇଛି କି ଡିପୋରେ ତେଲ ରଖିବାକୁ ଜାଗାର ଅଭାବ ପଡ଼ୁଛି । କାରଣ ଚାହିଦା ନଥିବା ବେଳେ ଯେତିକି ତେଲ ଉତ୍ପାଦନ ହେଉଛି, ତାକୂୁ ରଖିବା ନେଇ ଡିପୋ ଉପରେ ଚାପ ପଡ଼ୁଛି ।