କନକ ବ୍ୟୁରୋ: ତୈଳ କଷ୍ଟରେ ଛଟପଟ ହେଉଛନ୍ତି ସାଧାରଣ ଖାଉଟି । ଥମୁନି ତେଲ ତାତି । ପ୍ରତିଦିନ ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର ।ବର୍ଦ୍ଧିତ ତୈଳ ଦର ଲୋକଙ୍କ ନିଦ ହଜାଇ ଦେଇଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦ ଟଙ୍କାକୁ ଟପିଥିବାବେଳେ ଡିଜେଲ ୧୦୭ଟଙ୍କାକୁ ଟପିଯାଇଛି । ଦେଶର କିଛି ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୨୧ ଟଙ୍କା ଟପିଯାଇଛି । ଏପରି ଭାବେ ଦର ବଢୁଛି ଯେ ଆଗକୁ ଏହି ଦର କମିବାର ସମ୍ଭାବନା ଖୁବ କମ୍ । ଅନ୍ତାର୍ଜତୀୟ ସ୍ତରୀୟ ଆର୍ଥିକ ସୁରକ୍ଷା ଏବଂ ନିବେଶ ନିବେଶ ପରିଚାଳନା ଫାର୍ମ ଏଜେନ୍ସି ବ୍ରୋକରେଜ୍ ହାଉସ୍ ଗୁଡିକ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ଆଗାମୀ ଦିନରେ ଭାରତରେ ତୈଳ ଦର ୧୫୦ ଟଙ୍କା ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି ।ଏଜେନ୍ସିର ଏହି ରିପୋର୍ଟ ଖାଉଟିଙ୍କ ନିଦ ହଜାଇ ଦେଇଛି । ରିପୋର୍ଟ ମୁତାବକ, କେବଳ ଅକ୍ଟୋବର ମାସରେ ଦେଶରେ ତୈଳ ଦର ୮ଟଙ୍କା ମହଙ୍ଗା ହୋଇଛି । ଏହି ମାସରେ ପେଟ୍ରୋଲ ଦର ୨୪ଥର ବଢିଛି ।

Advertisment

୨୦୨୧ ବର୍ଷକୁ ବିଚାରକୁ ନେଲେ ଚଳିତ ବର୍ଷ ଜାନୁଆରୀ ପହିଲାରେ ଦେଶରେ ପେଟ୍ରୋଲ ୮୩ଟଙ୍କା ୯୭ ପଇସା ଏବଂ ଡିଜେଲ ଦର ୭୪ଟଙ୍କା ୧୨ ପଇସା ରହିଥିଲା । ହେଲେ ଏବେ ଏହା (ପେଟ୍ରୋଲ) ଲିଟର ପିଛା ୧୦୯.୩୪ ଏବଂ (ଡିଜେଲ) ଦର ଲିଟର ପିଛା ୯୮.୦୭ ରହିଛି । ପୂର୍ବ ଅପେକ୍ଷା ଅକ୍ଟୋବରରେ ତୈଳ ଦର ସର୍ବାଧିକ ରହିଛି । ମାତ୍ର ୧୦ ମାସ ମଧ୍ୟରେ ଘରୋଇ ବଜାରରେ ପେଟ୍ରୋଲ ଦର ୨୫ଟଙ୍କା ୩୭ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୭ ପଇସା ବୃଦ୍ଧି ପାଇଛି । ଆସନ୍ତା ବର୍ଷ ସୁଦ୍ଧା ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ଡଲାର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ବ୍ରୋକରେଜ୍ ଫାର୍ମ ଗୋଲ୍ଡମ୍ୟାନ୍ ଏଜେନ୍ସି । ଏପରି ହେଲେ ଭାରତରେ ପେଟ୍ରୋଲ ଦର ୧୫୦ ଟଙ୍କାକୁ ଛୁଇଁପାରେ ବୋଲି ଏହାର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୧୪୦କୁ ଟପିଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।