ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।

303

କନକ ବ୍ୟୁରୋ: ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇ ଗତି କରୁଛି । ଏପରି ସ୍ଥିତିରେ ଗତକାଲି ରାଜ୍ୟ ସରକାର ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହେବା ନେଇ ନିୟମ ଜାରି କରିଛନ୍ତି । ଏପରି ସ୍ଥିତିରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫଲାଇନ୍ ପାଠପଢା ଜାରି ରହିଲେ କୋଭିଡ୍ ସଂକ୍ରମଣ ବ୍ୟାପିବାର ଭୟ ରହୁଛି । ତେଣୁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି ।

ସୂଚନା ମୁତାବକ, ସୋମବାରଠାରୁ ରାଜ୍ୟର କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ହେବନାହିଁ । ତା ସହିତ ପିଲାମାନେ ଅଫଲାଇନରେ ମଧ୍ୟ ପରୀକ୍ଷା ଦେବେନାହିଁ । କଲେଜ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ସ୍ଥିତିରେ ପରୀକ୍ଷା ନେଇ ଆଲୋଚନା ହେବ । ତା ସହିତ ସୋମବାରଠାରୁ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ବନ୍ଦ ରହିବା ସହିତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଅଫଲାଇନ୍ ପରିବର୍ତ୍ତେ ଅନଲାଇନରେ ପାଠପଢା ଜାରି ରହିବ । ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ଅଧା କର୍ମଚାରୀଙ୍କୁ ନେଇ କାମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଦେଇଛି । ରାଜ୍ୟରେ ଏବେ ସଂକ୍ରମଣ ବଢିବାକୁ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।