କନକ ବ୍ୟୁରୋ : ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଦୀର୍ଘ ୬୪ଦିନ ଧରି ନୂଆ କୃଷି ଆଇନକୁ ବିରୋଧ କରି ଚାଲିଆସୁଥିବା ଆନ୍ଦୋଳନ ଏବେ କେଉଁ ମୋଡ ନେବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା, ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କୁ ଚାଷୀଙ୍କ ବିରୋଧୀ କରାଇଛି । ୬୪ଦିନ ଧରି ଆନ୍ଦୋଳନରତ ଚାଷୀଙ୍କୁ ଖାଇବାକୁ ଦେଉଥିବା ସିଂଘୁ ସୀମାର ସ୍ଥାନୀୟ ବାସିନ୍ଦା ଏବେ ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିଛନ୍ତି । ଏହା ସହ ୨୪ଘଣ୍ଟା ମଧ୍ୟରେ ସିଂଘୁ ସୀମା ଖାଲି କରିବାକୁ କହିଛି ହିନ୍ଦୁ ସେନା । ଏମଧ୍ୟରେ ଗାଜିପୁର ଚାଷୀଙ୍କୁ ହଟାଇବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ହିଂସାଙ୍କୁ ନେଇ ଲେଖାଯାଇଥିବା ଏତଲା ମଧ୍ୟରୁ ୯ଟି ଏତଲାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ଦିଆଯାଇଛି । ଏବେ ସିବିଆଇ ଘଟଣାର ଯାଞ୍ଚ କରିବା ସହ ଦୋଷୀକୁ ଖୋଜିବ । ଗତକାଲି ଦୁଇଟି ଚାଷୀ ସଂଗଠନ ଚାଷୀ ଆନ୍ଦୋଳନରୁ ନିଜକୁ ଅଲଗା କରିସାରିଥିବା ବେଳେ ଏବେ ଏହି ଆନ୍ଦୋଳନ କେଉଁ ମୋଡ଼ ନେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ଚାଷୀମାନେ ଆନ୍ଦୋଳନରୁ ଓହରିବେ ନା ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ସେ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।