ନିଜ ପୋଲିସ କର୍ମଚାରୀଙ୍କ ମନୋବଳ ବଢାଉଛନ୍ତି ଅଫିସର । ଘରକୁ ଯାଉଛନ୍ତି ତାଙ୍କ ପରିବାରର ଭଲ ମନ୍ଦ ବୁଝୁଛନ୍ତି । କରୋନା ଯୋଦ୍ଧାଙ୍କ ଏକୁଟିଆ ଅନୁଭବ ହେବାକୁ ଦେଉନାହାନ୍ତି ।

216

କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ସାରା ଦେଶରେ ଏବେ ହାହାକାର । ଦେଶରେ ପ୍ରାୟ ୧ ବର୍ଷ ହୋଇଯିବ କରୋନା ନିଜ କାୟା ବିସ୍ତାର କରି ଚାଲିଛି । ତେବେ ଏହି ସମୟରେ ଡାକ୍ତର ଆଉ ପୋଲିସ ଉଭୟ ଆଗଧାଡିର କରୋନା ଯୋଦ୍ଧା ଭାବେ ଠିଆ ହୋଇଥିଲେ । ଆଉ କରୋନା ବିରୋଧୀ ଲଢେଇରେ ଆଗକୁ ଆସିଥିଲେ । ନିଜ ପରିବାରକୁ ପଛରେ ପକାଇ ଲୋକଙ୍କ ସେବା କରିଚାଲିଛନ୍ତି । ବର୍ତ୍ତମାନ ପୋଲିସ ମାନଙ୍କୁ ନେଇ ଏଭଳି ଖବର ଆସିଛି ଯାହାକୁ ପ୍ରଂଶସା ନକରି ଆପଣ ରହିପାରିବେନି । ଏଠାରେ ପୋଲିସ ନିଜ ମନୋବଳ ବଢାଇବା ପାଇଁ ନିଜେ କାମ କରୁଛି ।

ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ କେମିତି ପୋଲିସ ନିଜ ମନୋବଳ ନିଜେ ବଢାଉଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି । ଏଠାରେ ପୋଲିସ ଅଫିସର ମାନେ ନିଜ କର୍ମଚାରୀଙ୍କ ମନୋବଳ ବଢାଇବା ପାଇଁ ତାଙ୍କ ଘରକୁ ଯାଉଛନ୍ତି, ଆଉ ତାଙ୍କର ଓ ତାଙ୍କ ପରିବାରର ଭଲ ମନ୍ଦ ବୁଝୁଛନ୍ତି । ଯଦି ପରିବାର କିଛି ସମସ୍ୟା ରହିଛି ତାକୁ ମଧ୍ୟ ସମାଧାନ କରୁଛନ୍ତି ।

ଭୋପାଳର ଏଏସପି ଦିନେଶ କୌଶଲଙ୍କ କହିବାନୁସାରେ ଏପରି କରିବା ଦ୍ୱାରା କର୍ମଚାରୀ ମାନଙ୍କ ମନୋବଳ ବଢୁଛି । ଆଉ ସେମାନଙ୍କ ବିଶ୍ୱାସ ଆମ ଉପରେ ରହୁଛି । ଏଭଳି ପରିସ୍ଥିତିରେ ଯେମିତି ସେମାନେ ଏକା ବୋଲି ଅନୁଭବ ନକରିବେ ସେଥିପାଇଁ ଏଭଳି କରାଯାଉଛି । ତେବେ କରୋନା ଆକ୍ରାନ୍ତ ହୋଇ ନିଜ ଘରେ ସଙ୍ଗରୋଧରେ ରହୁଥିବା କର୍ମଚାରୀଙ୍କୁ ପରିବାରର ଭଲ ମନ୍ଦ ବୁଝୁଛି ଭୋପାଳ ପୋଲିସ ।

ଏଏସପି ଭୋପାଳର ବୋରସିୟା ପୋଲିସ କଲୋନୀ, ଇଣ୍ଟଖେଡ, ନିଶାତପୁରା ସହ ଅନ୍ୟ ସବୁ ଅଞ୍ଚଳରେ ରହୁଥିବା ପୋଲିସ କର୍ମଚାରୀଙ୍କ ପରିବାରଙ୍କ ଘରକୁ ଯାଇଥିଲେ । ଏହାସହ ପୋଲିସ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଟିକା ନେବା ପାଇଁ ମଧ୍ୟ ସଚେତନ କରାଯାଉଛି ।

କରୋନା ମହାମାରୀ ଆରମ୍ଭରୁ ନିଜ ପରିବାର କଥା ଚିନ୍ତା ନକରି ଦିନ ରାତି ଲୋକମାନଙ୍କ ସେବା କରୁଛନ୍ତି ପୋଲିସ କର୍ମଚାରୀ । ରାସ୍ତା ଉପରେ ଛିଡା ହୋଇ ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରୁଛନ୍ତି । ହେଲେ ସେମାନଙ୍କ ପରିବାର କଥା କିଏ ଚିନ୍ତା କରେ । ଏଭଳି ଏକ କଥାକୁ ହୃଦୟଙ୍ଗମ କରି ନିଜ କର୍ମଚାରୀଙ୍କ ମନୋବଳ ବଢାଇବାକୁ ଭୋପାଳ ପୋଲିସ ଏହି ପ୍ରୟାସ କରିଛି ।