ବଣଭୋଜି ନାଁରେ ଓଡ଼ିଶାରେ ପଶିଲେ ଆନ୍ଧ୍ର ଅଧିକାରୀ । ୨୨ଟି କାରରେ ଦେଓମାଳି ବୁଲିଲେ, ଓଡ଼ିଶା ପୋଲିସ ପହଞ୍ଚିବା ପରେ ତରବର ହୋଇ ପଳାଇଲେ ।

Advertisment
ବଣଭୋଜି ନାଁରେ ଓଡ଼ିଶାରେ ପଶିଲେ ଆନ୍ଧ୍ର ଅଧିକାରୀ । ୨୨ଟି କାରରେ ଦେଓମାଳି ବୁଲିଲେ, ଓଡ଼ିଶା ପୋଲିସ ପହଞ୍ଚିବା ପରେ ତରବର ହୋଇ ପଳାଇଲେ ।

କନକ ବ୍ୟୁରୋ : କୋଟିଆ ପରେ ଓଡ଼ିଶାର ଉଚ୍ଚତମ ପର୍ବତମାଳା ତଥା ‌ପଟାଙ୍ଗି ବ୍ଲକର ଦେଓମାଳି ଉପରେ ଏବେ ଆନ୍ଧ୍ରର ନଜର ପଡ଼ିଛି। ବଣଭୋଜି ବାହାନାରେ ଆନ୍ଧ୍ର ପ୍ରଦେଶର ୬ ଜଣ ଆଇଏଏସଙ୍କ ସମେତ ୫୭ ଜଣ ଅଧିକାରୀ ରବିବାର ଦେଓମାଳି ବୁଲିଛନ୍ତି। ୨୨ଟି କାରରେ ଆସିଥିବା ଏହି ଅଧିକାରୀମାନଙ୍କ ସହିତ ଥିଲେ ‌ସେଠାର ପୁଲିସ। ଓଡ଼ିଶା ପୁଲିସ ସେଠାରେ ପହଞ୍ଚିବା ମା‌ତ୍ରେ ସେମାନେ ତରବର ହୋଇ ପଲାଇଥିଲେ। ଗୋଟିଏ ପଟେ କୋଟିଆ ବିବାଦର ସ୍ଥାୟୀ ସମାଧାନ ବାହାରି ନାହିଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସଚିବସ୍ତରୀୟ କମିଟି ଗଠନ ହୋଇ ନ ଥିବାବେଳେ କେବେ ବୈଠକ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଏଭଳି ପରିସ୍ଥିତିରେ ପୁଣି ନୂଆ ବିବାଦ ସୃଷ୍ଟି କରିବା ଲାଗି ଆନ୍ଧ୍ର ଅଧିକାରୀମାନେ ଏଭଳି ଗସ୍ତ କରିଥିବା କୁହାଯାଉଛି।

ରବିବାର ସକାଳୁ ସକାଳୁ ସାଦା ପୋଷାକରେ ଓଡ଼ିଶା ଭିତରେ ପଶିଥିଲା ଆନ୍ଧ୍ର ପୁଲିସ। ଛକ ଛକରେ ଅଟକି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ରାସ୍ତା ଅତିକ୍ରମ କରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲା। ସବୁ ଗାଡ଼ି ଦେଓମାଳି ଚାଲଯିବା ପରେ ପଛେ ପଛେ ପୁଲିସ ଅଧିକାରୀ ଯାଇଥିଲେ। ବିଜୟନଗର ଜିଲ୍ଲାପାଳ ଏ. ସୂର୍ଯ୍ୟ କୁମାର, ଜଏଣ୍ଟ କଲେକ୍ଟର ମୟୂର ଅଗ୍ରୱାଲ, ପିଓ ଆଇଟିଡିଏ ଆର. କୁର୍ମାନାଥ, ଜଏଣ୍ଟ କଲେକ୍ଟର ମହେଶ କୁମାର, ଜେ.ସି କିଶୋର କୁମାର ଏବଂ ବିଜୟନଗର ଜଏଣ୍ଟ କଲେକ୍ଟର ଏମ୍‌. ଭାବନା ପ୍ରମୁଖ ଦେଓମାଳିରେ ପହଞ୍ଚିଥିଲେ। ଏତେ ସଂଖ୍ୟାରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ପଟାଙ୍ଗି ଦେଇ ଦେଓମାଳି ଯିବା ହଟଚମଟ ସୃଷ୍ଟି କରିଥିଲା। ଏହି ଖବର ପାଇ ଓଡ଼ିଶା ପୁଲିସ ବି ତତ୍ପରତା ପ୍ରକାଶ କରିଥିଲା। ଆନ୍ଧ୍ର ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା।

ଅନ୍ୟପଟେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡ଼ିଶା ଆସୁଥିବା ନେଇ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ବି କୌଣସି ସୂଚନା ଦିଆଯାଇ ନଥିଲା। ଏହି ଖବର ପାଇ ଓଡ଼ିଶାର କିଛି ଗଣମାଧ୍ୟମ ପ୍ରତିନିଧି ଦେଓମାଳିରେ ପହଞ୍ଚିଥିଲେ। ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ଉଦ୍ୟମ କରିବା ସମୟରେ ଆନ୍ଧ୍ର ପୁଲିସ ପ୍ରଥମେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ପରେ ଓଡ଼ିଶା ପକ୍ଷରୁ କୋରାପୁଟ ଏଡିଏମ୍‌ ରାମେଶ୍ୱର ପ୍ରଧାନ, ପଟାଙ୍ଗି ବିଡିଓ, ସେମିଳିଗୁଡା ବିଡିଓ ଏବଂ କୋରାପୁଟ ତହସିଲଦାର ପହଞ୍ଚି ଯିବାରୁ ଆନ୍ଧ୍ର ପୁଲିସ ଚୁପ୍ ହୋଇଯାଇଥିଲା। ତେବେ ଆନ୍ଧ୍ରର ୫୭ଜଣ ଅଧିକାରୀ ୪ଘଣ୍ଟା ଦେଓମାଳିରେ ବିତାଇ ଭୋଜିଭାତ କରିବା ସହ ଗାଲିଗବଦର ପିକନିକ୍‌ ସ୍ପଷ୍ଟକୁ ବି ଯାଇଥିଲେ। ସେଠାରେ ପୁଣି ଦୁଇ ଘଣ୍ଟା ବିତାଇ ପଟାଙ୍ଗି-ସୁଙ୍କି ରାସ୍ତାରେ ଆନ୍ଧ୍ରକୁ ଫେରି ଯାଇଥିବା ସୂଚନା ମିଳିଛି।

ଏତେ ସଂଖ୍ୟାରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆସିବା ପ୍ରଥମ ଘଟଣା। ଯଦିଓ ସେମାନେ ପିକନିକ୍‌ କରିବାକୁ ଆସିଥିଲେ ବୋଲି କୁହାଯାଉଛି, ତଥାପି ଉଦ୍ଦେଶ୍ୟ ଭିନ୍ନ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ଦେଓମାଳି ଠାରୁ କୋଟିଆ ଅଳ୍ପଦୂରରେ ହିଁ ରହିଛି। ସେହିପରି ଛୁଟି ଦିନରେ ବୁଲାବୁଲି କରିବାରେ ଆଦୌ ମନାନାହିଁ। କିନ୍ତୁ ଯେଉଁ ଢଙ୍ଗରେ ସେମାନେ ବୁଲାବୁଲି କରିବାକୁ ଆସିଥିଲେ ତା ହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏ‌ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ଉଠାଇବାରୁ ତରବରିଆ ଭାବେ ଗାଡ଼ିରେ ଲାଗିଥିବା ସରକାରୀ ଫଳକ ଗୁଡ଼ିକୁ ଲୁଚାଇ ଦେଇଥିବା ଜଣାପଡ଼ିଛି। ଏହାବ୍ୟତୀତ କୋଟିଆକୁ ବିଭାଜନ କରିବାକୁ ନିୟୋଜିତ ଆନ୍ଧ୍ରର ଏଜେଣ୍ଟ ବି ଏହି ପିକ୍‌ନିକ୍‌ରେ ସାମିଲ ହୋଇଥିଲେ। ଏଜେଣ୍ଟଙ୍କ ଉପସ୍ଥିତି ଏହି ପକ୍‌ନିକ୍‌ ପଛରେ ଅନେକ ଚକ୍ରାନ୍ତ ରହିଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe