କନକ ବ୍ୟୁରୋ : ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ପଛରେ ଅନେକ ରହସ୍ୟ ଲୁଚି ରହିଥିବା ସନ୍ଦେହ ବଢ଼ିବାରେ ଲାଗିଛି । ମାନସିକ ଚାପରେ ଥିବାରୁ ଆଇଆଇସି ଆତ୍ମହତ୍ୟା କରିଥିବା ଗଞ୍ଜାମ ପୁଲିସ କହୁଥିଲେ ବି ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ସବଇନ୍ସପେକ୍ଟରଙ୍କ ବୟାନ ସନ୍ଦେହକୁ ବଢ଼ାଇ ଦେଇଛି । ଏସଆଇ ସୁଭ୍ରଜିତ୍ ସାମନ୍ତରାୟ କହିଛନ୍ତି, ସେଦିନ ଛୁଟିରେ ଯିବାକୁ ଆଇଆଇସି ଗମାଙ୍ଗଙ୍କୁ ବାଧ୍ୟ କରିଥିଲେ ଭଞ୍ଜନଗର ଏସଡିପିଓ ଓ ଆଇଆଇସି । ଆଉ ଛୁଟିରେ ଯିବାକୁ ଚାହୁଁନଥିଲେ ଗମାଙ୍ଗ । ଆଉ ଏହାରି ଭିତରେ ବନ୍ଧୁକରୁ ଗୁଳି ଫୁଟି ଗମାଙ୍ଗଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରଶ୍ନ ଉଠୁଛି ଗମାଙ୍ଗଙ୍କୁ ଛୁଟିରେ ଯିବାକୁ କାହିଁକି ବାଧ୍ୟ କରୁଥିଲେ ୨ଅଫିସର ।
ଗାଙ୍ଗପୁର ଥାନା ଆଇଆଇସି ମୃତ୍ୟୁ ମାମଲାରେ ନୂଆ ରହସ୍ୟ । ‘ଗମାଙ୍ଗଙ୍କୁ ଛୁଟିରେ ଯିବା ପାଇଁ କରାଯାଇଥିଲା ବାଧ୍ୟ’ । ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା ସନ୍ଦେହ ଘେରରେ ଥିବାବେଳେ ଏବେ ଏକ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଗାଙ୍ଗପୁର ଥାନା ସବ ଇନ୍ସପେକ୍ଟର ସୁଭ୍ରଜିତ ସାମନ୍ତରାୟଙ୍କ କହିବା ଅନୁସାରେ, ସେଦିନ ଭଞ୍ଜନଗର ଏସଡିପିଓ ଓ ଭଞ୍ଜନଗର ଥାନା ଆଇଆଇସି ଗମାଙ୍ଗଙ୍କ ଘରକୁ ଆସିଥିଲେ । ୨ ଅଫିସର ଆଇଆଇସି ଗମାଙ୍ଗଙ୍କୁ ଛୁଟିରେ ଯିବା ପାଇଁ ବାଧ୍ୟ କରିଥିଲେ ।
ଛୁଟିରେ ଯିବା ପାଇଁ ବାଧ୍ୟ କରୁଥିବାବେଳେ ଗମାଙ୍ଗ କହିଥିଲେ ତାଙ୍କର ଅନେକ କାମ ଅଛି । କିନ୍ତୁ ଏସଡିପିଓ ଓ ଭଞ୍ଜନଗର ଆଇଆଇସି ତାଙ୍କୁ କହିଥିଲେ, ଏସପି ତାଙ୍କ ଛୁଟି ମଞ୍ଜୁର କରିଛନ୍ତି, ତେଣୁ ସେ ଛୁଟିରେ ଯାଆନ୍ତୁ । ଗମାଙ୍ଗ ରାଜି ନହେବା ଏବଂ ଏମାନେ ତାଙ୍କୁ ଛୁଟିରେ ଯିବାକୁ ବାଧ୍ୟ କରିବା ଭିତରେ ଏହି ଘଟଣା ଘଟିଛି । ବନ୍ଧୁକରୁ ଗୁଳି ଫୁଟିଛି ଓ ଆଇଆଇସିଙ୍କ ମୃତ୍ୟୁ ଘଟିଛି ।
ଆଇଆଇସି ଦେବ କୁମାର ଗମାଙ୍ଗଙ୍କର କାହିଁକି ଓ କେମିତି ମୃତ୍ୟୁ ହେଲା ଏନେଇ ପୁଲିସର ଉତର ସନ୍ତୁଷ୍ଟ କରି ପାରିନଥିବାବେଳେ ସବଇନ୍ସପେକ୍ଟରଙ୍କ ବୟାନ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।
କାହିଁକି ଛୁଟିରେ ଯିବା ପାଇଁ ବାଧ୍ୟ କରୁଥିଲେ? କାହାକୁ ଖସାଇବା ପାଇଁ ଚାପ ପକାଉଥିଲେ ? ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ କେନ୍ଦୁପଦର ହତ୍ୟା ଘଟଣା ଘଟିଥିଲା । ଏହି ମାମଲାରେ ଗିରଫଦାରୀ ଚାଲିଥିଲା । ଏଥିରେ ଗଂଜାମର କିଛି ହାଇପ୍ରୋଫାଇଲ ନେତାଙ୍କ ସମ୍ପର୍କୀୟ ବି ସଂପୃକ୍ତ ଥିବା ଜଣାପଡ଼ିଥିଲା । ଆଇଆଇସି ଦେବ କୁମାର ଗମାଙ୍ଗ ଏହି ମାମଲାର ନିଜେ ତଦାରଖ କରୁଥିଲେ । କୁହାଯାଉଛି କିଛି ଲୋକଙ୍କୁ ଛାଡ଼ିବା ପାଇଁ ଗମାଙ୍ଗଙ୍କ ଉପରେ ଚାପ ପଡ଼ୁଥିଲା । ଏବଂ ଏସବୁ ଘଟଣା ଭିତରେ ଆଇଆଇସିଙ୍କୁ ଛୁଟିରେ ଯିବାକୁ ବାଧ୍ୟ କରାଯାଉଥିଲା । ଏବେ ପ୍ରଶ୍ନ ଉଠୁଛି,
- ଗମାଙ୍ଗଙ୍କୁ ଛୁଟିରେ ଯିବାକୁ କାହିଁକି ବାଧ୍ୟ କରୁଥିଲେ ୨ ଅଧିକାରୀ ?
- ଗମାଙ୍ଗ ଛୁଟିରେ ଯାଇଥିଲେ ୨ ଅଧିକାରୀଙ୍କର କଣ ଲାଭ ହୋଇଥାନ୍ତା ?
- କେନ୍ଦୁପଦର ହତ୍ୟା ଘଟଣାର ତଦନ୍ତକୁ ମୋଡିବା ପାଇଁ ଗମାଙ୍ଗଙ୍କୁ ଜବରଦସ୍ତି ଛୁଟିରେ ଯିବାକୁ ବାଧ୍ୟ କରାଯାଉଥିଲା କି ?
- ପୁଲିସ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ କି ?
ସନ୍ଦେହ ଜନକ ଭାବେ ଆଇଆଇସିଙ୍କ ମୃତ୍ୟୁ ହୋଇଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ଗଞ୍ଜାମ ପୁଲିସ ନୀରବ ରହିବା, ଓ ପରିବାର ଲୋକଙ୍କ ସହ ଆଲୋଚନାକୁ ଗୋପନୀୟ ରଖିବା ସନ୍ଦେହକୁ ଖୋରାକ ଯୋଗାଇଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ, ଏକ ବଡ ରହସ୍ୟ ଉପରୁ ପରଦା ହଟିପାରେ ବୋଲି ଚର୍ଚ୍ଚା ହେଉଛି ।