ଦିନ ୧୧ଟା ଯାଏଁ ଅଫିସ ଖାଲି, ଆସୁନାହାନ୍ତି ଅଫିସର । ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି ବିଭିନ୍ନ କାମରେ ଆସୁଥିବା ଲୋକେ ।

137

କନକ ବ୍ୟୁରୋ: ଖାଲି ପଡିଛି ଅଫିସ । କେତେକ ଅଫିସରେ ତାଲା ପଡିଛି । କେତେବେଳେ ଆସିବେ ସରକାରୀ ବାବୁ । ଅପେକ୍ଷା କରି ରହୁଛନ୍ତି ବିଭିନ୍ନ କାମ ପାଇଁ ବ୍ଲକ ଅଫିସକୁ ଆସୁଥିବା ଲୋକେ । କଟକ ଜିଲ୍ଲା ନିଆଳି ବ୍ଲକରୁ କନକ ନ୍ୟୁଜର ରିଆଲଟି ଚେକ ।

ବ୍ଲକର ଅଫିସରେ ଲାଗିଥିବା ଏହି କାନ୍ଥ ଘଂଟାକୁ ଦେଖନ୍ତୁ । ସମୟ ସକାଳ ୧୦ଟା ୫୫ ହେଲାଣି, ବ୍ଲକ ଅଫିସରେ ବାବୁଙ୍କ ଦେଖା ନାହିଁ । ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି । ପ୍ରାୟ ସବୁ ଘରେ ତାଲା ପଡିଥିବା ବେଳେ ଯଦି ବା କେଉଁଠି ଖୋଲା ଅଛି ସେଠି ଅଫିସରଙ୍କ ଅପେକ୍ଷାରେ ଅଛନ୍ତି ଚେୟାର ଟେବୁଲ । ଦିନେ ଦୁଇ ଦିନ, ନୁହେଁ ପ୍ରାୟ ସବୁଦିନେ ଏମିତି ୧୦ଟାରୁ ୧୧ଟା ଯାଏଁ ଅପେକ୍ଷା କରିବା ପରେ ନିଆଳି ବ୍ଲକ ଅଫିସର ବାବୁମାନେ ଆସନ୍ତି ବୋଲି କୁହନ୍ତି ସ୍ଥାନୀୟ ଲୋକେ ।

ନିଆଳି ବ୍ଲକ କାର୍ଯ୍ୟଳୟରେ ବିଭିନ୍ନ କାମ ପାଇଁ ଲୋକେ ସକାଳ ୧୦ଟା ପୂର୍ବରୁ ପହଂଚନ୍ତି, କିନ୍ତୁ ବାବୁଙ୍କ ପହଂଚି ପାରନ୍ତି ନାହିଁ । ତେଣୁ ଖରାରେ ବ୍ଲକ ଅଫିସ ବାହାରେ ସରକାରୀ ବାବୁଙ୍କୁ ଅପେକ୍ଷା କରିବା ପଡେ । ଲୋକଙ୍କୁ ଉତମ ସେବା ଯୋଗାଇବା ସହ ସରକାରୀ ଯୋଜନାର ସଫଳ ରୁପାୟନ ପାଇଁ ଫାଇଭି-ଟି ବ୍ୟବସ୍ଥା ହୋଇଛି । ହେଲେ ନିଆଳି ବ୍ଲକରେ ଅଧିକାରୀମାନେ ଫାଇଭି-ଟିର ଅର୍ଥକୁ ଏମିତି ବୁଝିଛନ୍ତି ଯେ, ଦିନ ପ୍ରାୟ ୧୧ଟା ଯାଏଁ ଅଫିସ ଆସନ୍ତି ନାହିଁ ।