କନକ ବ୍ୟୁରୋ : ବିଭିନ୍ନ ଜିଲ୍ଲା କମିଟି ଏବଂ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୯୧(୧)(ଏ) ଆଧାରରେ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ଗତକାଲି ଆୟୋଗଙ୍କ ୱେବସାଇଟରେ ଏହି ସୂଚନା ଦିଆଯାଇଛି । ୨୨ ବିଜେଡ଼ି ବିଧାୟକ ଅଫିସ୍ ଅଫ୍ ପ୍ରଫିଟ ଅଥବା ଲାଭଜନକ ପଦବିରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । ଆଇନଜୀବୀ ସମରେନ୍ଦ୍ର ବେଉରାଙ୍କ ଦ୍ୱାରା ଏହି ସବୁ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଏକାଧିକ ଆବେଦନ ହୋଇଥିଲା ।
ଏହା ପରେ ରାଜ୍ୟପାଳ ଇସିଆଇ ପୋଲ୍ ପ୍ୟାନେଲ୍ଙ୍କ ମତ ଲୋଡ଼ିଥିଲେ। ଗତ ଅକ୍ଟୋବର ୧୩ରେ ପୋଲ୍ ପ୍ୟାନେଲ୍ ତାଙ୍କ ମତ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ବୈଧାନିକ ଆଇନ ଆଧାରରେ ୨୨ ବିଧାୟକଙ୍କ ମଧ୍ୟରୁ ‘ଅଫିସ୍ ଅଫ୍ ପ୍ରଫିଟ୍’ ପଦବିରେ ୨୦ ଜଣ ଅଯୋଗ୍ୟ ନୁହନ୍ତି ଏବଂ ଅନ୍ୟ ଦୁଇଜଣ ଭୂପିନ୍ଦର ସିଂହ ଓ ଅନନ୍ତ ନାରାୟଣ ଜେନା ବିଧାୟକ ହେବା ପୂର୍ବରୁ ସେମାନଙ୍କ ପଦବିରୁ ଇସ୍ତଫା ଦେଇଥିଲେ ବୋଲି ତାଙ୍କ ମତରେ ପ୍ୟାନେଲ ଉଲ୍ଲେଖ କରିଛନ୍ତି । ଏହି ଦୁଇ ବିଧାୟକଙ୍କ ଇସ୍ତଫା ଷୋଡ଼ଶ ବିଧାନସଭା ଗଠନ ପୂର୍ବରୁ ଗ୍ରହଣ କରିନିଆଯାଇଥିଲା ବୋଲି କୁହାଯାଇଛି ।
ପୋଲ ପ୍ୟାନେଲ୍ ମତକୁ ଆଧାର କରି ରାଜ୍ୟପାଳ ଅକ୍ଟୋବର ୨୨ରେ ୮ ପୃଷ୍ଠାର ଆଦେଶ ଜାରି କରିଥିଲେ । ଯେଉଁଥିରେ ସେ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା ଆବେଦନଗୁଡ଼ିକର କୌଣସି ଆଧାର ନଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/9-11.jpg)