ଚଣ୍ଡିଗଡରେ ଖୋଲିଲା କ୍ୟାପଟେନ ଅମରିନ୍ଦର ସିଂଙ୍କ ପାର୍ଟି ‘ପଞ୍ଜାବ ଲୋକଦଳ’ର କାର୍ଯ୍ୟାଳୟ, ବିଜେପି ସହ ମେଣ୍ଟରେ ନିର୍ବାଚନ ଲଢିବା ନେଇ ଘୋଷଣା

129

କନକ ବ୍ୟୁରୋ : କଂଗ୍ରେସ ଛାଡିବା ପରେ ଆଜି କ୍ୟାପଟେନ ଅମରିନ୍ଦର ସିଂ ନିଜ ନୂଆ ପାର୍ଟି ଘୋଷଣା କରିଛନ୍ତି । କ୍ୟାପଟେନ ତାଙ୍କ ନୂଆ ରାଜନୈତିକ ଦଳର ନାମ ‘ପଞ୍ଜାବ ଲୋକ କଂଗ୍ରେସ’ ରଖିଥିବା ବେଳେ ଆଗାମୀ ନିର୍ବାଚନକୁ ନେଇ ସେ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

କ୍ୟାପଟେନ ସୋମବାର ଦିନ ଚଣ୍ଡିଗଡ ଠାରେ ପାର୍ଟିର କାର୍ଯ୍ୟାଳୟ ଉଦଘାଟନ କରିବା ସହ ଗଣମାଧ୍ୟମକୁ କହିଛନ୍ତି କି ୨୦୨୨ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିବ । ଏନେଇ ସେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ସହ ଆଲୋଚନା କରିଥିବା କଥା ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଆସନ ବୁଝାମଣା ନେଇ କିଛି ସ୍ପଷ୍ଟ ହୋଇନଥିବା କଥା କ୍ୟାପଟେନ କହିଥିବା ବେଳେ ଏହା ନିର୍ବାଚନ ତାରିଖ ଘୋଷଣା ପରେ ସ୍ପଷ୍ଟ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଗଣମାଧ୍ୟମକୁ କ୍ୟାପଟେନ କହିଛନ୍ତି ମୋର ଉର୍ଦ୍ଦେଶ୍ୟ ହେଉଛି ପଞ୍ଜାବ ବିଧାନସଭା ନିର୍ବାଚନ ଜିତିବା ଓ ସେ ଜିତିବେ ବୋଲି ଦାବି କରିଛନ୍ତି । ଅନ୍ୟପଟେ ସେ କଂଗ୍ରେସରେ ଥିବା ବେଳେ ରାଜ୍ୟବାସୀଙ୍କ ପାଇଁ କାମ କରୁଥିଲେ ଓ ନୂଆ ଦଳ ଗଠନ ପରେ ବି ଠିକ୍ ସେହିଭଳି କାମ କରିବେ ବୋଲି ପଞ୍ଜାବବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

କହିରଖୁ କି ଶନିବାର ଦିନ ନୂଆଦିଲ୍ଲୀରେ ଅମିତ ଶାହା ଏକ ବୟାନରେ କହିଥିଲେ କି ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ଟକଶାଳୀ ନେତା ସୁଖଦେବ ସିଂ ଢିଣ୍ଡସା ଓ ଅକାଳୀଦଳ ମିଳିତ ଭାବେ ନିର୍ବାଚନ ମୈଦାନକୁ ଉହ୍ଲାଇବେ । ଅନ୍ୟପଟେ କୃଷକ ଆନ୍ଦୋଳନର ପ୍ରଭାବ ପଞ୍ଜାବ ଓ ଉତ୍ତର ପ୍ରଦେଶ ନିର୍ବାଚନରେ ପଡିବ ନାହିଁ ବୋଲି ଅମିତ ଶାହା କହିଥିଲେ ।