ଅଫିସ ଖୋଲା ହେଲେ ଚୌକି ଖାଲି। ଗ୍ରାମାଞ୍ଚଳରେ ସରକାରୀ ଅଫିସ ଥିବାରୁ ଆସୁନାହାନ୍ତି ଅଫିସର। ସେବା ନପାଇ ଫେରୁଛନ୍ତି ହିତାଧିକାରୀ

ପଦ୍ମପୁର କୃଷି କାର୍ଯ୍ୟାଳୟର ଦୟନୀୟ ଚିତ୍ର

631

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ଘାରିଛି ଚାଷୀ ଚିନ୍ତା  । ଏହା ଭିତରେ ଚାଷୀମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ମଧ୍ୟ ଘୋଷଣା ହୋଇଛି  । ହେଲେ ଏହି ଯୋଜନା ଗୁଡିକର ସଫଳ ପ୍ରଣୟନ ଦିଗରେ ପ୍ରଶାସନିକ ଅବହେଳା ଓ ଆନ୍ତରିକତାର ଅଭାବ ଯୋଗୁଁ ଚାଷୀମାନେ କିଭଳି ହଇରାଣ ହେଉଛନ୍ତି, ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୃଷି ଜିଲ୍ଲା ଅଫିସରେ  । ଯେଉଁଠି ଅଧିକାରୀ ଓ କର୍ମଚାରୀଙ୍କ ପଡିଛି ମରୁଡି  ।

ଅଫିସ ଖୋଲା ହେଲେ ଚୌକି ଖାଲି । ଏଣେତେଣ ପଡ଼ିଛି ଅଫିସର କାଗଜପତ୍ର । ନଥିପତ୍ର ଅବସ୍ଥା ନକହିବା ଭଲ । ସେପଟେ ଖତ ଖାଉଛି ସରକାରୀ ଗାଡ଼ି । ଏଭଳି ଅବସ୍ଥାରେ ରହିଛି ପଦ୍ମପୁର ଉପଖଣ୍ଡ କୃଷି ଜିଲ୍ଲା ଅଫିସ । ଭିତରେ ଅଧିକାରୀର ନାହାନ୍ତି ହେଲେ ବାହାରେ ବସିଛନ୍ତି ଚତୃର୍ଥ ଶ୍ରେଣୀ କର୍ମଚାରୀ । ୧୦ଟାରୁ ୫ଟା ଅଫିସ ଖୋଲା ରହୁଛି ହେଲେ ଅଧିକାରୀଙ୍କ ଦେଖା ଦର୍ଶନ ମିଳୁନି । ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ  ଆସୁଥିବା ଚାଷୀ କର୍ମଚାରୀଙ୍କୁ ନଭେଟି ନିରାଶ ହୋଇ ଫେରୁଛନ୍ତି ।

ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ କୃଷିଭିତ୍ତିକ ଅଂଚଳ । ଅଣଜଳସେଚିତ ଅଂଚଳ ହୋଇଥିଲେ ବି ଏଠାକାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ । ଆଉ ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇବା ପାଇଁ କୃଷି କାର୍ଯ୍ୟାଳୟ ରହିଛି । ହେଲେ ତାର ଅବସ୍ଥା ଏବେ ଆପଣଙ୍କ ସାମ୍ନାରେ..  ଅନେକ ଦିନ ହେଲା ଖାଲି ପଡିଥିବା ଡିଏଓଙ୍କ କାର୍ଯ୍ୟାଳୟର ଅବସ୍ଥା ଅତି ଶୋଚନୀୟ । ଚାଷୀଙ୍କ ପାଇଁ ଆସିଥିବା କୃଷି ଯନ୍ତ୍ରପାତି ଗୁଡିକ ବାହାରେ ପଡି ନଷ୍ଟ ହେଉଥିବା ବେଳେ ଗୋଦାମଗୁଡିକରେ ତାଲା ଝୁଲୁଛି  । ସୋହେଲା ଜିଲ୍ଲା କୃଷି ଅଧିକାରୀଙ୍କୁ ଉପଖଣ୍ଡ କୃଷି ଜିଲ୍ଲା ଅଫିସର ଅତିରିକ୍ତ ଦାୟିତ୍ୱରେ ଥିବାରୁ ସେ କେଇ ମାସ ହେଲା ଏଠାକୁ ଆସିନଥିବା ଜଣାପଡିଛି  । ଖାଲି ଏତିକି ନୁହେଁ ଏଠାରେ ଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ସଠିକ୍ ଭାବରେ ଆସୁନଥିବା ଅଭିଯୋଗ ହେଉଛି ।