ପୂଜାରେ ଅଫର ବର୍ଷା । କିଏ ହେଉଛି ମାଲାମାଲ? ଗ୍ରାହକ ନା ବ୍ୟବସାୟୀ?

129

କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ଖବରକାଗଜରେ ଦିଆଯାଇଥିବା ଏକ ବିଜ୍ଞାପନରେ ୩ ହଜାର ୪୯୯ ଟଙ୍କାର କିଣାକିଣି କଲେ ୧୯୯ ଟଙ୍କାର ଉପହାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ୩ ହଜାର ଟଙ୍କାର ଏକ କୁପନ ମିଳିବ । ଅର୍ଥାତ ଏହି କୁପନ ଦେଖାଇ ଆପଣ ପରବର୍ତ୍ତୀ କିଣାକିଣି ଉପରେ ରିହାତି ନେଇପାରିବେ । ସେହିପରି ଆଉ ଏକ ବିଜ୍ଞାପନରେ କୁହାଯାଇଛି, ୨ ହଜାର ୯୯୯ ଟଙ୍କାର ପୋଷାକ କିଣିଲେ ୧ ହଜାର ୯୯୯ ଟଙ୍କର ଏକ ଡିନର ସେଟକୁ ଆପଣ ମାତ୍ର ୨୪୯ ଟଙ୍କାରେ ପାଇପାରିବେ । ୪ ହଜାର ୯୯୯ ଟଙ୍କାର କିଣାକିଣି ଉପରେ ୫ ହଜାର ୯୯୯ ଟଙ୍କାର ଭିଆଇପି କ୍ୟାବିନ ଟ୍ରଲି ମିଳିବ, ଯେଉଁଥିପାଇଁ କେବଳ ୫୯୯ ଟଙ୍କା ଦେବାକୁ ପଡିବ । ଏବେ ପ୍ରଶ୍ନ ଉଠୁଛି ଏହି ପୂଜା ଅଫର କାହାକୁ ଫାଇଦା ଆଣିଦେଉଛି । ଶସ୍ତାରେ ସାମଗ୍ରୀ ପାଇ ଗ୍ରାହକ ମାଲାମାଲ ହେଉଛନ୍ତି ନା ଅଫର ନାଁରେ ଗ୍ରାହକଙ୍କୁ ଅଧିକ କିଣାକିଣି କରିବାକୁ ଉସୁକାଇ ବ୍ୟବସାୟୀ ଲାଭ ଉଠାଉଛନ୍ତି ।

ପୂଜା ଆସିଲେ ଏହିଭଳି ଅଫର ବର୍ଷା ହୁଏ । ଗ୍ରାହକଙ୍କୁ ଅଧିକ କିଣାକିଣି ପାଇଁ ଉସୁକାଇବାକୁ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଓ ଗାଡି ମୋଟର ଏବଂ ମୋବାଇଲ ଯାଏଁ ବିଭିନ୍ନ ପ୍ରକାର ଉପହାର ଘୋଷଣା କରିଥାନ୍ତି କମ୍ପାନି କିମ୍ବା ଦୋକାନୀ । ବାଏ ୱାନ ଗେଟ୍ ୱାନ ଭଳି ଆକର୍ଷଣୀୟ ଅଫରର ଲୋଭରେ ଲୋକେ ମଧ୍ୟ ଅଧିକ କିଣାକିଣି କରିଥାଆନ୍ତି । ତେବେ ଏଥିରୁ କାହାକୁ ବିଶେଷ ଫାଇଦା ମିଳୁଛି ସେନେଇ ଆମେ କିଛି ଗ୍ରାହକ ଓ ବ୍ୟବସାୟୀଙ୍କ ପ୍ରତିକ୍ରିୟା ନେଇଥିଲୁ ।

କନକ ନ୍ୟୁଜ ଡିବେଟରେ ଭାଗନେଇ ଉଭୟ ପକ୍ଷ ପ୍ରତିକ୍ରିୟା ରଖିଛନ୍ତି । ପୂଜା ସମୟରେ ଅଫର ମିଳୁଥିବାରୁ ଲୋକେ କିଣାକିଣି କରିବାକୁ ଆଗୁଆ ପ୍ରସ୍ତୁତି କରିଥାନ୍ତି । ନିଯୁକ୍ତିଦାତା ଏହି ସମୟରେ ବୋନସ ଘୋଷଣା କରୁଥିବାରୁ ଲୋକଙ୍କ ପାଖରେ ଖର୍ଚ୍ଚ କରିବାକୁ ପଇସା ଥାଏ । ପୂଜା ସେଲିବ୍ରେସନ ପାଇଁ ଲୋକେ ମଧ୍ୟ ଅଧିକ ଖର୍ଚ୍ଚ କରିବା ମୁଡରେ ଥାନ୍ତି । ତେବେ ଏହି ଭାବପ୍ରବଣତାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଅଧିକ ଲାଭର ଲୋଭ ଦେଖାଇଥାନ୍ତି ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ଲାଭ ଯାହାର ହେଉ ନା କାହିଁକି ପୂଜା ଆସିଲେ ଜୋରଦାର କିଣାବିକା ଚାଲେ । ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ପାର୍ବଣ ଫିକା ପଡିଥିଲା । ଏଥର ବେପାର ଜମିବା ସହ ଲୋକେ ମଧ୍ୟ ପୂଜାର ମଜା ନେବେ ବୋଲି ଆଶା କରାଯାଉଛି ।