ରାଜ୍ୟରେ ବଢିପାରେ ବିଜୁଳି ଦର ! ୭ ପଇସା ବଢ଼ାଇବା ପାଇଁ ପ୍ରସ୍ତାବ ଦେଲା ଓଏଚପିସି । ଦର ବଢାଇବାକୁ ଦାବି କରିଛନ୍ତି ବିଭିନ୍ନ ବିତରଣ କମ୍ପାନି

ପ୍ରସ୍ତାବକୁ ଓଇଆରସି ଗ୍ରହଣ କଲେ ଆସନ୍ତା ଆର୍ଥିକବର୍ଷରୁ ବଢିବ ବିଜୁଳି ଦର

294

କନକ ବ୍ୟୁରୋ: ରାଜ୍ୟରେ ବଢିପାରେ ବିଜୁଳି ଦର । ବିଜୁଳି ଦର ୮୮ ପଇସାରୁ ୯୫ ପଇସା କରିବା ପାଇଁ ଆଜି ପ୍ରସ୍ତାବ ଦେଇଛି ଓଏଚପିସି । ଅର୍ଥାତ ୭ ପଇସା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି ଏହି ବିତରଣ କମ୍ପାନୀ । ଆଉ ଯଦି ଏହି ପ୍ରସ୍ତାବକୁ ଓଇଆରସି ଗ୍ରହଣ କଲେ ଆସନ୍ତା ଆର୍ଥିକବର୍ଷରୁ ବଢିବ ବିଜୁଳି ଦର । ଦର ବୃଦ୍ଧି ପାଇଁ ବିଭିନ୍ନ ବିଦ୍ୟୁତ୍ ବିତରଣ କମ୍ପାନୀ କରିଥିବା ଆବେଦନ ଉପରେ ଆଜିଠୁ ଆରମ୍ଭ ହୋଇଛି ଶୁଣାଣି । ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଏହି ଶୁଣାଣି କରାଯାଉଛି ।

ଆଜି ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍ ବା ଓଏଚପିସି ନିଜର ପକ୍ଷ ରଖିଛି ଓଏଚପିସି ପକ୍ଷରୁ କୁହାଯାଇଛି ସମସ୍ତ ଆନୁସଂଘିକ ଖର୍ଚ୍ଚ ବୃଦ୍ଧି ଘଟିଥିବାରୁ ୟୁନିଟ୍ ପିଛା ବିଦ୍ୟୁତ୍ ଦେୟ ମଧ୍ୟ ବୃଦ୍ଧି କରାଯିବା ଆବଶ୍ୟକ । ଆଜିଠାରୁ ଆରମ୍ଭ ହୋଇଥିବା ଶୁଣାଣି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବିଭିନ୍ନ ବିଦ୍ୟୁତ୍ ବିତରଣ କମ୍ପାନୀ ନିଜ ନିଜର ପକ୍ଷ ରଖିବେ । ୧୪ ପରେ ୨୬ତାରିଖରେ ବସିବ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ।

https://www.power-eng.com/

ବୈଠକରେ ସମସ୍ତ ଆବେଦନ ଉପରେ ବିଚାର କରାଯିବ । ଏବଂ ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା ଦେୟ ବୃଦ୍ଧି ନେଇ ନୀତିଗତ ନିଷ୍ପତି ନେବ ଓଇଆରସି । ଏବେ ଘରୋଇ ସଂଯୋଗରୁ ଉପଭୋକ୍ତାଙ୍କୁ ୟୁନିଟ ପିଛା ଅଢେଇ ଟଙ୍କା, ବାଣିଜ୍ୟିକ ସଂଯୋଗରୁ ସାଢେ ୪ଟଙ୍କା ଓ ଶିଳ୍ପାନୁଷ୍ଠାନକୁ ୟୁନିଟ ପିଛା ୬ଟଙ୍କା ବିଦ୍ୟୁତ ଦେୟ ଦେବାକୁ ପଡୁଛି । ତେଣୁ ବିତରଣ କମ୍ପାନିର କ୍ଷତିକୁ ଚାହିଁ ବିଜୁଳି ଦର ଧାର୍ଯ୍ୟହେଲେ ଉପଭୋକ୍ତାଙ୍କ ଉପରେ ପଡିବ ମହଙ୍ଗା ବୋଝ । କମ୍ପାନିଗୁଡିକର ଯୁକ୍ତିକୁ ଓଇଆରସି ଗ୍ରହଣ କଲେ ଆସନ୍ତା ଆର୍ଥିକବର୍ଷରୁ ଅର୍ଥାତ ଏପ୍ରିଲ ପରେ ବଢିପାରେ ବିଜୁଳି ଦର ।