ପ୍ରବାସୀ ଓଡିଆଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ଉଚିତ୍ ନୁହେଁ, ଜନ୍ମମାଟି ଉପରେ ରହିଛି ସମସ୍ତଙ୍କର ସମାନ ଅଧିକାର । ଭାରତୀୟ ସମ୍ବିଧାନର ଦର୍ଶନ କରାଇ, ମାନବିକତା ବିବେକର କଥା କହିଲେ ବାଗଚୀ ।

386

କନକ ବ୍ୟୁରୋ: ପ୍ରବାସୀ ଓଡିଆଙ୍କ ପ୍ରତି ସମବେଦନା ଜଣାଇବାକୁ ପରାମର୍ଶ ଦେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କୁ ସନ୍ଦେହ କରିବା ଉଚିତ୍ ନୁହେଁ । ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ଉଚିତ୍ ନୁହେଁ । ଜନ୍ମ ମାଟି ଉପରେ ରହିଛି ସମସ୍ତଙ୍କର ସମାନ ଅଧିକାର । ସେମାନଙ୍କୁ କେହି ଏଥିରୁ ବଂଚିତ କରିପାରିବେନି । ଭାରତୀୟ ସମ୍ବିଧାନର ଏହା ହେଉଛି ଦର୍ଶନ । ଏହା ମାନବିକତାର କଥା, ବିବେକର କଥା ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

ସେପଟେ ପ୍ରବାସୀ ଫେରନ୍ତାଙ୍କ ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟମ୍ପ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି, ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଂଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପଂଜୀକରଣ କରିବାକୁ ହେବ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ପଂଚାୟତଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ।