ଶିମିଳିପାଳ ନିଆଁ ରୋକିବାକୁ ଘଟଣାସ୍ଥଳରେ ଦୁଇଟି ଓଡ୍ରାଫ ଟିମ୍ : ବାରିପଦାର ପିଠାବଟା ରେଂଜ ଓ ଯଶିପୁର ରେଂଜରେ ହେଲେ ମୁତୟନ

 ବିଳମ୍ବରେ ହେଲେ ବି ଭାଙ୍ଗିଲା ପ୍ରଶାସନର ନିଦ 

84

କନକ ବ୍ୟୁରୋ : ଶିମିଳିପାଳ ନିଆଁ ସରକାରଙ୍କ ଚିନ୍ତା ବଢାଇଛି । ଏହାକୁ ରୋକିବା ପାଇଁ ଏକ ବଡ ପଦକ୍ଷେପ ବି ନେଇଛନ୍ତି ସରକାର । ଏକ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଜଙ୍ଗଳ ନିଆଁ ଲିଭା କାମ ଉପରେ ନଜର ରଖିବ ଏହି ଟିମ୍ । ସେପଟେ ନିଆଁ ଲିଭା କାମରେ ସହାୟତା କରିବା ପାଇଁ ୩୦ ଜଣିଆ ଦୁଇଟି ଓଡ୍ରାଫ୍ ଟିମ୍ ମୟୂରଭଂଜରେ ପହଂଚିଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ଟିମ୍ ବାରିପଦାର ପିଠାବଟା ରେଂଜରେ ମୁତୟନ ହୋଇଥିବା ବେଳେ ଯଶିପୁର ରେଂଜରେ ମୁତୟନ ହୋଇଛନ୍ତି ଅନ୍ୟ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏସପିଆର ଉପନିର୍ଦ୍ଦେଶକ । ପୂର୍ବରୁ ଶିମିଳିପାଳରେ ୧ ହଜାର ୪ଶହ ପଏଂଟରେ ନିଆଁ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୧୧୭୫ ଜଣ ବ୍ୟକ୍ତି ନିୟୋଜିତ ଥିବା ସରକାର ସୂଚନା ଦେଇଥିଲେ ।

ଏହି ଟାସ୍କଫୋର୍ସ ବନାଗ୍ନି ଘଟଣାବଳୀ, କାରଣ ଓ ତୁରନ୍ତ ଅଗ୍ନି ନିର୍ବାପନର ସମୀକ୍ଷା, ପ୍ରଚଳିତ ଅଗ୍ନିନିର୍ବାପକ ପ୍ରୋଟୋକଲ୍‌ ଓ ଜିଓମାଟ୍ରିକ୍ସ ଆଧାରିତ ଅଗ୍ନି ସୂଚନା ବ୍ୟବସ୍ଥାରେ ଉନ୍ନତି ପାଇଁ ପଦକ୍ଷେପ ଉପରେ ପ୍ରସ୍ତାବ ରଖିବେ । ଏଥିସହ ବନାଗ୍ନି ପରିଚାଳନା ଓ ପ୍ରତିରୋଧ କ୍ଷେତ୍ରରେ ଅଧିକରୁ ଅଧିକ ଗୋଷ୍ଠୀ ସଶକ୍ତି ପାଇଁ ପ୍ରସ୍ତାବ, ବନାଗ୍ନି ପ୍ରଭାବିତ ଅଞ୍ଚଳରେ ବନ୍ୟପ୍ରାଣୀ ଓ ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ଏବଂ ଏହି ସମସ୍ୟାର ସମୁଚିତ ସମାଧାନ ପାଇଁ ପ୍ରସ୍ତାବ, ଅଗ୍ନି ପ୍ରତିରୋଧକ ଓ ସୁପରିଚାଳନା ବ୍ୟବସ୍ଥାର ଉନ୍ନତୀକରଣ ଦିଗରେ ପ୍ରସ୍ତାବ ଦେବା ପରେ ତୁରନ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ସେପଟେ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଫେବ୍ରୁଆରି ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ସମୟକୁ ‘ଅଗ୍ନି ଋତୁ’ ଭାବେ ବିବେଚନା କରାଯାଇଥାଏ । ଏହି ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି। ଶିମିଳିପାଳର ୧୪୨୮ଟି ସ୍ଥାନରେ ନିଆଁ ଲାଗିଥିଲା । ତାହାକୁ ନିୟନ୍ତ୍ରଣ ପାଇଁ ୧୧୭୫ ଜଣ ବ୍ୟକ୍ତି, ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିମି ଫାୟାର ଲାଇନ ତିଆରି ସହ ୭ ଜଣ ନୋଡାଲ ଅଫିସର ଓ ୪୦ଟି ଗାଡ଼ିକୁ ନିୟୋଜିତ କରାଯାଇଛି। ୩୦୦ଟି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯାଇ ସଚେତନତା ସୃଷ୍ଟି କରାଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଅଗ୍ନି ଋତୁ ଆରମ୍ଭ ହେବା ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଞ୍ଚଳରେ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି । ଗତ ମାର୍ଚ୍ଚ ୩ରେ ଅତିରିକ୍ତ ମ୍ୟାନ୍‌ ପାୱାର ଓ ଯନ୍ତ୍ରାଦି ପାଇଁ ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।