ମିଳିଲା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ: ଡଙ୍ଗା ବୁଡି ଘଟଣାରେ କାଲିଠୁ ଥିଲେ ନିଖୋଜ  

652

କନକ ବ୍ୟୁରୋ: ମହାନଦୀକୁ ହାତୀ ଉଦ୍ଧାର କରିବାକୁ ଯାଇ ବୋଟ ବୁଡିବା ଘଟଣା । ମିଳିଲା ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ । ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମହ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଏହାପରେ ଏବେ ମୃତଦେହକୁ କଖଡି ମହାଳପଡାରୁ ଉଦ୍ଧାର କରାଯାଇଛି ।

ଗତକାଲି ମହାନଦୀରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋଟ୍ରେ ଯାଇଥିଲେ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି । ପାଣିର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ୭ ଜଣ । ଦଉଡି ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଓଡ୍ରାଫ କର୍ମଚାରୀ ସୀତାରାମ ଓ ସାମ୍ବାଦିକ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା ।

ପରେ ଏକ ମାଛଧରା ଡଙ୍ଗାରେ ଅରିନ୍ଦମଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ନିଖୋଜ ଥିଲେ ସୀତାରାମ ମୁର୍ମୁ । ଅନେକ ଖୋଜାଖୋଜି ପରେ ମିଳିନଥିବାବେଳେ ତାଙ୍କ ମୃତଦେହ ମିଳିଛି । ଓଡ୍ରାଫର ଅଣ୍ଡର ୱାଟର ଡାଇଭର ଭାବେ ସେ ବେଶ ଚର୍ଚ୍ଚିତ ଥିଲେ । ତଥାପି ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ।

ବଡକଥା ହେଉଛି ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିବାର ରେକର୍ଡ ତାଙ୍କ ନାଁରେ ରହିଛି । ସୀତାରାମଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜରେ ରହୁଥିଲେ । ପରିବାର କହିଲେ ତାଙ୍କ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି । ଓଡ୍ରାଫର ଜଣେ ଦକ୍ଷ ବୁଡାଳିଙ୍କ ପାଣିରେ ବୁଡି ମୃତ୍ୟୁ ଘଟଣାରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।