ଓଲଟିଲା ଓଡ୍ରାଫ୍ ବୋଟ୍ : ୩ଜଣ ଓଡ୍ରାଫ୍ ଯବାନ ନିଖୋଜ, ଏସସିବିରେ ଭର୍ତ୍ତି ହେଲେ ଦୁଇ ଗଣମାଧ୍ୟମ ପ୍ରତିନିଧି

376

କନକ ବ୍ୟୁରୋ : ହାତୀ ଉଦ୍ଧାର ବେଳେ ବଡ ଅଘଟଣ । ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଉଦ୍ଧାରକାରୀ ବୋଟ୍ । ବୋଟରେ ୬ରୁ ୭ଜଣ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଓଟିଭିର ୨ଜଣ ପ୍ରତିନିଧି ମଧ୍ୟ ଥିଲେ । ବୋଟରେ ଉଦ୍ଧାରକାରୀ ଦଳ ସହ ଓଟିଭି ଟିମ୍ ରହିଥିଲା । ତେବେ ଓଡ୍ରାଫ ବୋଟରେ ଥିବା ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ସେହିଭଳି ସମସ୍ତ ଯବାନଙ୍କୁ ମଧ୍ୟ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ପ୍ରଥମେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ତିନିଜଣ ଓଡ୍ରାଫ୍ ଯବାନ୍ ନିଖୋଜ ଅଛନ୍ତି । ସେମାନଙ୍କ ସହିତ ଥିବା ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଖବର ମିଳୁଛି ।

ନଦୀରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆଉ ଗୋଟିଏ ବୋଟ ଭିତରକୁ ଯାଇଛି । କିଭଳି ପାଣିରେ ଫଶିରହିଥିବା ନିଖୋଜ ଓଡ୍ରାଫ୍ ଯବାନଙ୍କୁ ଉଦ୍ଧାର କରାଯାଇପାରିବ ସେ ନେଇ ପ୍ରୟାସ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଓଟିଭି ପ୍ରତିନିଧି ଅରିନ୍ଦମ ଦାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବୋଟଟି ଓଲଟିଲା ବେଳେ ତାଙ୍କ ମୁହଁରେ ପାଣିଟି ମାଡ ହୋଇଥିଲା । ପରେ ତାଙ୍କୁ ଉଦ୍ଧାର କରିବା ପରେ ଏସସିବିରେ ଭର୍ତ୍ତି କରାଯାଇଛି । ପାଖାପାଖି ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ହେବ ଏହି ଘଟଣାକୁ । ହେଲେ ନିଖୋଜ ଥିବା ତିନି ଜଣଙ୍କୁ ଉଦ୍ଧାର କରାଯାଇ ନାହିଁ । ହାତୀଟି ମଧ୍ୟ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି । ହାତୀଙ୍କୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ଦୁର୍ଘଟଣା ଘଟିଯାଇଛି ।

ତେବେ ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବା ଜଣାପଡିଛି । ତେବେ ଗୋଟିଏ ଶିଶୁ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଲାଖି ରହି ବଞ୍ଚିବାକୁ ସଂଘର୍ଷ କରୁଛି । ଆଠଗଡ ରେଞ୍ଜରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୧୭ଟି ହତୀ ନଦୀପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ  କେତେକ ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଟି ହାତୀ  ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟ ନିକଟରେ ଲାଗିଛନ୍ତି । ତେବେ ଗୋଟିଏ ଶିଶୁ ହାତୀ ବ୍ୟାରେଜ ନିକଟରେ ଫସି ରହିଛି ।