ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି ଅଂଚଳର ଦେବରୁପା କର
କନକ ବ୍ୟୁରୋ : ପେଶା ଓଡ଼ିଶୀ ନୃତ୍ୟ ଶିଖାଇବା । ଓଡ଼ିଶୀ ନୃତ୍ୟରେ ନିପୁଣା ଯେ ଜଣେ ସଫଳ ଉଦ୍ୟୋଗୀ ଓ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିବେ ତାହା ଦେବରୂପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କଟକ ନିଶ୍ଚିତକୋଇଲି ବ୍ଲକ ବଡ଼ଖିରି ପଂଚାୟତ ମିଶନ ଶକ୍ତି ବିଭାଗ ଦ୍ୱାରା ଏମବିକେ ଭାବେ ନିଯୁକ୍ତ ହୋଇଛନ୍ତି ଦେବରୂପା କର । ରଙ୍ଗମୁଣ୍ଡାଇ ଗାଁରେ ଦେବରୂପାଙ୍କ ଘର । ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଜଣେ ସଙ୍ଗୀତ ଶିଳ୍ପୀ । କରୋନା ସମୟରେ କିଛି କରିବାର ଆଶାରେ ଆରମ୍ଭ କରିଥିଲେ ଛତୁ ଚାଷ । ଏଥିପାଇଁ ସେ ଉଦ୍ୟାନ କୃଷି ଉନ୍ନୟନ ଯୋଜନାରେ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ରୁଣ ନେଇଛନ୍ତି । ସ୍ୱାମୀଙ୍କ ସହଯୋଗରେ ୧୭ଶହ ବର୍ଗଫୁଟ୍ ଜମିରେ ୭ଶହରୁ ଅଧିକ ଛତୁ ବେଡ଼ ପକାଇଛନ୍ତି।

Kanak News is now on WhatsApp
Join and get latest news updates delivered to you via WhatsApp
ଛତୁ ଚାଷରେ ଦେବରୂପାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ସ୍ୱାମୀ ମୃତ୍ୟୁଞ୍ଜୟ ନନ୍ଦ । ପ୍ରତ୍ୟେକ ଦିନ ୩୦ କେଜିରୁ ଉଦ୍ଧ୍ୱର୍ ଛତୁ ତାଙ୍କ ଉଦ୍ୟାନରୁ ଉତ୍ପାଦନ ହେଉଛି । ଉତ୍ପାଦନ ହେଉଥିବା ଛତୁକୁ ଦେବରୂପାଙ୍କ ସ୍ୱାମୀ ନିଶ୍ଚନ୍ତକୋଇଲି ବଜାର ଏବଂ କଟକ ସହରକୁ ପଠାଇବାରେ ସହଯୋଗ କରନ୍ତି । ପ୍ରତେକ ଦିନ ସ୍ୱଳ୍ପ ପରିଶ୍ରମରେ ଦେବରୂପା ନିଜେ ଗୁଜୁରାଣ ମେଂଟାଇବା ସହ ନିଜର ନୃତ୍ୟ ପ୍ରଶିକ୍ଷଣ ପେଶାକୁ ସମୟ ଦେଇପାରୁଛନ୍ତି । ଦେବରୂପାଙ୍କ ଠାରୁ ଅନୁପ୍ରାଣିତ ହୋଇ ନିଶ୍ଚିନ୍ତକୋଇଲି ପଂଚାୟତର ଅନ୍ୟ ମହିଳା ମାନେ ଛତୁ ଚାଷ ଆରମ୍ଭ କଲେଣି ।
ସଫଳ ନୃତ୍ୟଶିଳ୍ପୀରୁ ସଫଳ ଚାଷୀ ହେବାରେ ସହାୟକ ହୋଇଛି ଉଦ୍ୟାନ କୃଷି ବିଭାଗର ସମନ୍ୱିତ ଉଦ୍ୟାନ କୃଷି ଯୋଜନା । ଯାହାର ସଦୁପଯୋଗ କରିଛନ୍ତି ଦେବରୂପା ।