ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ ! ୧୦ରୁ ସାଢ଼େ ୫ ଅଫିସ୍ ସମୟକୁ ମାନୁନାହାନ୍ତି ବାବୁ, କେମିତି ଶୁଣିବେ କର୍ମଚାରୀ

ବ୍ଲକ, ତହସିଲ, ପଞ୍ଚାୟତ ସ୍ଥିତି ଆହୁରି ସଙ୍ଗିନ

239

କନକ ବ୍ୟୁରୋ: ସରକାରୀ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହିତ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ଅଫିସର ସକାଳ ୧୦ଟାରେ ଅଫିସ ଆସିବେ, ସାଢେ ପାଞ୍ଚଟାରେ ଛୁଟି। ଅପରାହ୍ନ ସାଢେ ଗୋଟାଏରୁ ୨ଟା ହେଉଛି ଖାଇବା ସମୟ। କର୍ମଚାରୀଙ୍କୁ ଚାପ ମୁକ୍ତ କରିବା ଲାଗି ମାସର ଦ୍ବିତୀୟ ଶନିବାର ଭଳି ଚତୁର୍ଥ ଶନିବାରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବାରମ୍ବାର ଅଫିସ ଦୌଡି ଦୌଡି ନିରାଶ ହେଉଥିବା ଲୋକେ ଆଶ୍ବସ୍ତ ହୋଇଥିଲେ ଯେ ଏବେ ଅନ୍ତତଃ ସେମାନଙ୍କୁ ନ୍ୟାୟ ମିଳିବ। ଅଫିସର ନାହାନ୍ତି ବୋଲି କହି ଆଉ କେହି ଫେରାଇବେ ନାହିଁ। ହେଲେ ବାସ୍ତବତା ହେଲା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କୌଣସି ସରକାରୀ ସଂସ୍ଥାରେ ଶତପ୍ରତିଶତ ପାଳନ ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦିଆଯାଇଛି। ଯେଉଁ କର୍ମଚାରୀ, ବାବୁ ପୂର୍ବରୁ ବି ନିୟମିତ ଆସୁଥିଲେ, ସେମାନେ ଏବେ ବି ଆସୁଛନ୍ତି। ଅନ୍ୟମାନେ କେତେବେଳେ ଆସୁଛନ୍ତି, କେଉଁ ସମୟରେ ଯାଉଛନ୍ତି, ସେ ସଂକ୍ରାନ୍ତ ରେକର୍ଡ କାହା ପାଖରେ ନାହିଁ। ପଞ୍ଚାୟତ, ଆରଆଇ ଅଫିସ, ବ୍ଲକ, ତହସିଲ, ଓ ଜିଲ୍ଲାସ୍ତରରେ ସ୍ଥିତି ଆହୁରି ସଙ୍ଗିନ୍। ଦୁର୍ଗମ ଅଞ୍ଚଳ କଥା ନ କହିବା ଭଲ। ହାତଗଣତି କେତେଜଣଙ୍କୁ ଛାଡିଦେଲେ, ସଚିବାଳୟରେ ମଧ୍ୟ ବଡ଼ ବଡ଼ ବାବୁମାନେ ୩୦ମିନିଟରେ ଖାଇକି ପୁଣି ନିଜ ଆସ୍ଥାନକୁ ଫେରୁନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ ହେଉଛି ନା ନାହିଁ, ଏହାକୁ କିଏ କେଉଁଠି ତଦାରଖ କରୁଛନ୍ତି? ଏମିତି ପ୍ରଶ୍ନ ଏବେ ସମଗ୍ର ରାଜ୍ୟରେ ଆଲୋଚନାର ବିଷୟ ହୋଇଛି। କେଉଁଠାରେ କେମିତି ସରକାରୀ ବ୍ୟବସ୍ଥା ଉତ୍ତରଦାୟୀ ହେଲା? କାହାକୁ କେଉଁ କାମ ପାଇଁ ଉତ୍ତରଦାୟୀ କରାଗଲା? ଏକଥା ବି କେହି ଠଉରାଇ ପାରୁନାହାନ୍ତି। ରାଜ୍ୟରେ ଯେତିକି ସରକାରୀ କର୍ମଚାରୀ ଅଛନ୍ତି, ତା’ ଠାରୁ ଢେର୍ କେଇ ଗୁଣ ଅଧିକ ବେସରକାରୀ କ୍ଷେତ୍ରରେ କାମ କରନ୍ତି। ସରକାରୀ ବ୍ୟବସ୍ଥାରେ ଚାକିରିରେ କେବଳ ସ୍ଥିରତା ଅଛି ତା ନୁହେଁ, ସମାଜ ସେମାନଙ୍କୁ ସମ୍ମାନ ଦେଇଥାଏ। ଆହୁରି ଅନେକ ସୁବିଧା ବି।

କେବଳ ସେତିକି ନୁହେଁ, ବର୍ଷକୁ ୧୫ ଦିନ ସରକାରୀ ଛୁଟି। ପୂର୍ବରୁ ଦ୍ବିତୀୟ ଶନିବାର ପାଇଁ ୧୨ ଦିନ ଛୁଟି ମିଳୁଥିଲା ବର୍ଷରେ। ଏବେ ଚତୁର୍ଥ ଶନିବାର ଲାଗି ଆଉ ୧୨ ଦିନ ଛୁଟି ମିଶିଲା। ୫୨ ଦିନ ରବିବାର। ୧୫ ଦିନ ସିଏଲ୍, ୩୧ ଦିନ ପାଖାପାଖି ଇଏଲ୍। ପୁଣି ଅଧା ଦିନ ଛୁଟି ବ୍ୟବସ୍ଥା ଅଛି। ଏସବୁ ମିଶାଇେଲ ଜଣେ କର୍ମଚାରୀ ପାଖାପାଖି ବର୍ଷର ଏକ ତୃତୀୟାଂଶ ସମୟ ଛୁଟି ବ୍ୟବସ୍ଥା ଉପଭୋଗ କରୁଛି।ବାକି ସମୟରେ ସରକାର ବ୍ୟବସ୍ଥାକୁ ଉତ୍ତରଦାୟୀ କରିବେନି? ସ୍ଥିତି ଏତେ ତଳକୁ ଖସିଯାଇଛି ଯେ କର୍ମଚାରୀଙ୍କ ପାଇଁ ସମୟ କଟକଣା କରାଗଲା ପରେ ବି ତାହାର କାର୍ଯ୍ୟାନ୍ବୟନ ନାହିଁ?