ଭକ୍ତଙ୍କ ପାଇଁ ଖୋଲୁଛି ମନ୍ଦିର: ଡିସେମ୍ବର ୨୩ରେ ଖୋଲିବ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, କାଳିଆ ଦର୍ଶନ ପାଇଁ ଦିଆଯିବ ଚିରିକୁଟି; ଏପଟେ ୩ରେ ସମଲେଶ୍ୱର ମନ୍ଦିର ସମେତ ଖୋଲିବ ରାଜଧାନୀର ସବୁ ମନ୍ଦିର

66

କନକ ବ୍ୟୁରୋ: ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ନିଷ୍ପତି ନେଇଛି ପ୍ରଶାସନ । ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ସ୍ଥାନୀୟ ଧର୍ମାନୁଷ୍ଠାନ ଖୋଲିବା ନେଇ ଏକ ବଡ ଘୋଷଣା କରିଛନ୍ତି । ଡିସେମ୍ବର ୨୩ରୁ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପ୍ରବେଶ ପାଇଁ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ ।

ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।  କେଉଁ ତାରିଖରେ କେଉଁ ୱାର୍ଡବାସୀ ଦର୍ଶନ କରିବେ ତାହା ସ୍ଥିର କରାଯିବ । ୱାର୍ଡ ୱାରୀ ହେବ ଟୋକନ ବ୍ୟବସ୍ଥା । ସ୍ୱଚ୍ଛସାଥୀ ପ୍ରତି ୱାର୍ଡରେ ଘର ଘର ବୁଲି ଭକ୍ତଙ୍କ ତାଲିକା କରିବା ସହ ଟୋକନ ବାଂଟିବେ । ଜାନୁଆରୀ ୧ ଓ ୨ରେ ନୂଆବର୍ଷ ପାଇଁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖାଯିବ । ଜାନୁଆରୀ ୩ ତାରିଖରୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ । ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କରୋନାର ନେଗେଟିଭ ରିପୋର୍ଟ ଥିବା ଦରକାର । କେନ୍ଦ୍ର ସରକାରଙ୍କ କୋଭିଡ ନିୟମ ଅନୁଯାୟୀ  ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ ବୟସର ପିଲାଙ୍କ ପ୍ରବେଶ ଉପରେ କଟକଣା ରହିଛି ।  ସେପଟେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ମନ୍ଦିର ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ । ତେବେ ଆସନ୍ତା ୩ରୁ ୫ ତାରିଖରେ କେବଳ ଭୁବନେଶ୍ୱରବାସୀ ମନ୍ଦିର ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।

ତେବେ ଏଥିପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ । ଜାନୁଆରୀ ୬ ତାରିଖରୁ ଅନ୍ୟମାନେ ଦର୍ଶନ କରିପାରିବେ ବୋଲି ବିଏମସି କହିଛି ।  ପୂର୍ବ ନିଷ୍ପତି ଅନୁସାରେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତି ହୋଇଥିଲା । ତେବେ ମନ୍ଦିର ପ୍ରବେଶ  କଟକଣା ନେଇ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେବେ ବୋଲି ଜଣାପଡିଛି । ସେପଟେ ଆସନ୍ତା ଜାନୁଆରୀ ୩ ତାରିଖରୁ କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଖୋଲା ଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।