ଓଡିଶାରେ ବନ୍ଦ ହେଲା ଚାଇନା କମ୍ପାନିର ନିର୍ମାଣ କାମ: ବୈଷୟିକ କାରଣରୁ ତାଳଚେର ସାର କାରଖାନାର କାମ ବନ୍ଦ କରାଯାଇଥିବା ନେଇ ସୂଚନା

ଚୀନର ଉହାନ ଇଞ୍ଜିନିୟରିଂ କମ୍ପାନୀକୁ ଦିଆଯାଇଥିଲା କାମ

2,344

କନକ ବ୍ୟୁରୋ: ତାଳଚେର ସାର କାରଖାନାର ପୁନରୁଦ୍ଧାର କାମରୁ ବାଦ୍ ପଡିଲା ଚୀନ୍ କମ୍ପାନୀ । ଗତ ବର୍ଷ ସେପ୍ଟେମ୍ବର ମାସରେ ଚୀନର ଉହାନ ଇଂଜିନିୟରିଂ କମ୍ପାନୀ ଲିମିଟେଡକୁ ଦିଆଯାଇଥିବା ୧୩ ହଜାର ୨୭୭କୋଟି ଟଙ୍କାର କାମ ବନ୍ଦ କରିଦିଆଯାଇଛି । ବୈଷୟିକ କାରଣରୁ ଏହି କାମକୁ ବନ୍ଦ କରାଯାଇଥିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି । ଚୀନ୍ ସୀମାରେ ଚୀନ୍ର ଉତେଜନାମୂଳକ ଅଭିମୁଖ୍ୟ କାରଣରୁ ଏହି କାମ ବନ୍ଦ କରାଯାଇ ଥାଇପାରେ ବୋଲି କୁହାଯାଉଛି ।

ତାଳଚେର ସାର କାରଖାନାର ପ୍ରାୟ ୧୩ ହଜାର ୨୭୭କୋଟି ଟଙ୍କାର ପୁନରୁଦ୍ଧାର କାମ ବନ୍ଦ ହୋଇଯାଇଛି । ଏହି କାମ ଗତ ବର୍ଷ ସେପ୍ଟେମ୍ବର ମାସରେ ଚୀନର ଉହାନ ଇଂଜିନିୟରିଂ କମ୍ପାନୀ ଲିମିଟେଡ ହାତକୁ ଦିଆଯାଇଥିଲା । ବୈଷୟିକ କାରଣରୁ ଏହି କାମକୁ ବନ୍ଦ କରାଯାଇଥିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି । ଅର୍ଥ ମନ୍ତ୍ରଣାଳୟର ଏକ ସୁତ୍ର ଆଧାରରେ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଖବର ଅନୁସାରେ, ଚୀନ କମ୍ପାନି, କାର୍ଯ୍ୟସ୍ଥଳକୁ ଶ୍ରମିକ, ଯନ୍ତ୍ରପାତି ଓ ଟେକନିସିଆନ ଠିକ୍ ସମୟରେ ନପଠାଇବାରୁ କାମ ବିଳମ୍ବ ହେବା ଆଶଙ୍କାରେ କାମ ବନ୍ଦ କରାଯାଇଛି । ତେବେ ଭାରତ ଚୀନ୍ ସୀମାରେ ଚୀନ୍ର ଉତେଜନାମୂଳକ ଅଭିମୁଖ୍ୟ କାରଣରୁ ଭାରତ ସରକାର ୫୯ଟି ଚୀନ୍ ଆପ୍କୁ ନିଷିଦ୍ଧ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଚୀନ୍ କମ୍ପାନୀ ଗୁଡିକର କଂଟ୍ରାକ୍ଟକୁ ମଧ୍ୟ ବାତିଲ କରାଯାଇଛି । ଓଡ଼ିଶାର ଅନୁଗୁଳରେ ମଧ୍ୟ ଏହି କାରଣରୁ କାମ ବନ୍ଦ କରାଯାଇ ଥାଇପାରେ ବୋଲି କୁହାଯାଉଛି । କିନ୍ତୁ ଏବେ ଏନେଇ ସ୍ପଷ୍ଟ ଭାବରେ କିଛି କୁହାଯାଇ ପାରିବ ନାହିଁ ।

ୟୁରିଆ ଉତ୍ପାଦନ ନିମନ୍ତେ କୋଇଲା ବାସ୍ପୀକରଣ ଟେକ୍ନୋଲଜି ପ୍ରୟୋଗ କରାଯିବାରେ ସମଗ୍ର ଭାରତରେ ତାଳଚେରର ଏହି ପ୍ରକଳ୍ପ ହେଉଛି ପ୍ରଥମ । କୋଇଲା ବାଷ୍ପିକରଣ ପ୍ରକ୍ରିୟାରେ କୋଇଲାକୁ ସିନଗ୍ୟାସରେ ପରିବର୍ତନ କରାଯାଏ । ସିନଗ୍ୟାସ ହେଉଛି ହାଇଡ୍ରୋଜେନ, କାର୍ବନ ମନୋକ୍ସାଇଡ ଓ କାର୍ବନ ଡାଇଅକ୍ସାଇଡର ମିଶ୍ରଣ । ଭାରତ ୟୁରିଆ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଏହି ପ୍ରକଳ୍ପର ଗୁରୁତ୍ୱ ରହିଛି । କିନ୍ତୁ ବୈଷୟିକ କାରଣରୁ ଏହି ପ୍ରକଳ୍ପ କାମ ଏବେ ବନ୍ଦ ହୋଇଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.